ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ବାତ୍ୟାକୁ ନେଇ ଚିନ୍ତାରେ ରହିଥିବା ଓଡ଼ିଶାବାସୀଙ୍କ ପାଇଁ ଭଲ ଖବର। ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଆସନ୍ତା ୨୪ ତାରିଖରେ ବାତ୍ୟା କେବଳ ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ଓଡ଼ିଶାବାସୀଙ୍କୁ ପାଇଁ ଆଶ୍ଵସ୍ତିକର ଖବର ଦେଇଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବାତ୍ୟା କେବଳ ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ବୋଲି ଆକଳନ କରାଯାଇଥିବା ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁସାରେ ଉତ୍ତର-ଆଣ୍ଡାମାନ ସାଗର ଓ ତତ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହା ସହ ଜଡ଼ିତ ଘର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ପର୍ଯ୍ୟନ୍ତ ବ୍ୟାପିଛି। ମେଘଖଣ୍ଡ ଗୁଡ଼ିକ ଧୀରେ ଧୀରେ ଏକତ୍ର ହେଉଛି।

ଲଘୁଚାପ କ୍ଷେତ୍ରଟି ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହା ଆସନ୍ତା ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ପାଖାପାଖି ପହଞ୍ଚିବା ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଜାରି ରହିବ ଏବଂ ପରବର୍ତ୍ତୀ ସମୟରେ ପୂର୍ବ କେନ୍ଦ୍ରୀୟ ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ପରେ ଏହାର ଗତି ବଦଳିବ।

୨୪ରେ ଆସିବ ‘ସିତ୍ରାଙ୍ଗ’

ଆସନ୍ତା ୨୨ ତାରିଖରେ ଲଘୁଚାପ ପୂର୍ବ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ। ୨୩ ତାରିଖରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବାନ ରହିଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ। ଆସନ୍ତା ୨୪ ତାରିଖ ବେଳକୁ ଏହା ଉତ୍ତର ଦିଗରେ ଗତି କରିବ। ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ଏହା ବାତ୍ୟା ବା ସାମୁଦ୍ରିକ ଝଡ଼ର ରୂପ ନେବ। ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୫ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳ ନିକଟ ସମୁଦ୍ର ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ସମୟରେ ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶା ଉପକୂଳକୁ ସାମାନ୍ୟ ଛୁଇଁ ଚାଲିଯିବ। ଓଡ଼ିଶା ଉପକୂଳକୁ ଏହା ଅତିକ୍ରମ କରିବାର ସମ୍ଭାବନା ନଥିବା ବିଶେଷଜ୍ଞ କହିଛନ୍ତି।

ଓଡ଼ିଶାରେ ପ୍ରବଳ ବର୍ଷିବ

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ। କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟତଃ କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ବର୍ଷାର ପରିମାଣ ୭ରୁ ୧୧ ସିଏମ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କନ୍ଦ୍ରେ।

ଆସନ୍ତା ୨୫ ତାରିଖ ବେଳକୁ ବର୍ଷାର ପ୍ରଭାବ ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ରହିବ। ଏଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଠାରେ ବର୍ଷାର ପରିମାଣ ୭-୨୦ ସିଏମ ମଧ୍ୟରେ ରହିବ। ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଆକଳନ କରାଯାଇଛି।

କେମିତି ରହିବ ପବନର ବେଗ?

ଏହି ସମୟ ମଧ୍ୟରେ ପବନର ବେଗ ମଧ୍ୟ ବଢ଼ିବ। ଆସନ୍ତା ୨୨ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ୪୫ରୁ ୫୫ ରହିବ। ଏହା ଘଣ୍ଟା ପ୍ରତି ସର୍ବାଧିକ ୬୦ କିଲୋମିଟର ହେବାର ସମ୍ଭାବନା ରହିଛି। ୨୩ ତାରିଖଠାରୁ ପବନର ବେଗ ଆହୁରି ବଢ଼ିବ। ୫୦ରୁ ୬୦ ବା ସର୍ବାଧିକ ୭୦ କିଲୋମିଟର ପବନର ବେଗ ରହିବା ଅନୁମାନ କରାଯାଇଛି। ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବଗ ଅଧିକ ରହିବ। ଧୀରେ ଧୀରେ ୨୫ ତାରିଖ ବେଳକୁ ପବନର ବେଗ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଆହୁରି ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଫେରିଆସିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Cyclone #CycloneUpadates #Sitrang #WeatherForecast #Weather #CycloneAlert

Comment