ଓଡ଼ିଶାଲାଇଭ୍ ବ୍ୟୁରୋ

ସମୁଦ୍ର ମଧ୍ୟରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ  ବାତ୍ୟା ବା ସାମୁଦ୍ରିକ ଝଡ଼ର ରୂପ ନେବ ଗଭୀର ଅବପାତ। ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୫ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳ ନିକଟ ସମୁଦ୍ର ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ସମୟରେ ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶା ଉପକୂଳକୁ ସାମାନ୍ୟ ଛୁଇଁ ଚାଲିଯିବ। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ଲଘୁଚାପ ଏବେ ସୁଦୃଶ ଲଘୁଚାପ କ୍ଷେତ୍ର ଭାବେ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ବାୟୁ ମଣ୍ଡଳର ୭.୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତର ରୂପ ନେବ ବୋଲି ଆକଳନ କରାଯାଇଛି। ସୁଦୃଶ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ୨୩ ତାରିଖ ବେଳକୁ ଧୀରେ ଧୀରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବାନା ରହିଥିବା ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

ଆସନ୍ତା ୨୫ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳ ନିକଟ ସମୁଦ୍ର ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ସମୟରେ ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶା ଉପକୂଳକୁ ସାମାନ୍ୟ ଛୁଇଁ ଚାଲିଯିବ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ ମୁଖ୍ୟତଃ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୫ ତାରିଖ ବେଳକୁ ବର୍ଷାର ପ୍ରଭାବ ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ରହିବ। ଏଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଠାରେ ବର୍ଷାର ପରିମାଣ ୭-୨୦ ସିଏମ ମଧ୍ୟରେ ରହିବ। ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁର ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Tags: #Cyclone #CycloneUpdates #Sitrang #WeatherForecast #Weather #CycloneAlert

Comment