ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଆରମ୍ଭ ହେଲା ‘ଓଡ଼ିଶା ଟ୍ରାଭେଲ ବଜାର-୨୦୨୨’ – ୩୦ ଯାଏଁ ଚାଲିବ ଏହି ମେଗା ଇଭେଣ୍ଟ

ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି ‘ଓଡ଼ିଶା ଟ୍ରାଭେଲ ବଜାର-୨୦୨୨’। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗିତାରେ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ୩୦ ତାରିଖ ଯାଏଁ ଚାଲିବ।

ଏହି ତିନିଦିନିଆ ମେଗା ଇଭେଣ୍ଟକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଓଡ଼ିଶାରେ ଅନେକ ପର୍ଯ୍ୟଟନ ସମ୍ଭାର ରହିଛି। ଆମ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶର ଲୋକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହେବାକୁ ଯାଉଛି। ସ୍ପୋର୍ଟସ୍‌ ଟୁରିଜିମ ଓଡ଼ିଶାକୁ ନୂଆ ପରିଚୟ ଦେଇଛି। ତା’ଛଡ଼ା ବେଳାଭୂମି, ଜୈବ ବିବିଧତା ଅଞ୍ଚଳ, ଐତିହ୍ୟ ସ୍ଥଳ, ଧାର୍ମିକ ଓ ସାଂସ୍କୃତି କ୍ଷେତ୍ର ଏବଂ ପ୍ରାଚୀନ କୀର୍ତ୍ତିରାଜି ଆମ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ କରିପାରିଛି। ଯେଉଁ ପର୍ଯ୍ୟଟକମାନେ ଓଡ଼ିଶାକୁ ଆସିବେ ସେମାନେ ନୂଆ ଅନୁଭୂତି ନେଇ ଫେରିବେ।’’

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି କରିଛନ୍ତି। କ୍ୟାମ୍ପିଙ୍ଗ, ହାଉସ୍‌ ବୋଟ୍‌ ଟୁରିଜିମ, କାରାଭନ ଟୁରିଜିମ, ହେରିଟେଜ୍‌ ଟୁରିଜିମ ଏବଂ ୱାଟର ଟୁରିଜିମ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ କରାଯାଉଛି। ଏଥିପାଇଁ ସରକାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ପର୍ଟ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି।

ଆଗାମୀ ଦିନରେ ଓଡ଼ିଶାରେ ମେଗା ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ତେଣୁ ଟୁର୍‌ ଅପରେଟରମାନେ ଓଡ଼ିଶା ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଅପିଲ କରିଥିଲେ।

ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର କହିଥିଲେ, ‘‘ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶାରେ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଆମ ଜଙ୍ଗଲ ସମ୍ପଦ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି। ତେଣୁ ଓଡ଼ିଶାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ।’’

“ଓଡ଼ିଶା ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ବେଳାଭୂମି, ରାଜ ପ୍ରାସାଦ, ବ୍ୟାକ ୱାଟର, ଡେଜର୍ଟ ଆଦି ଭଳି ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଅଧିକ ସଂଖ୍ୟକ ହୋଟେଲ ରୁମର ବ୍ୟବସ୍ଥା କରାଯାଉଛି। ତେଣୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେଲେ ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ପାରିବ ବୋଲି ଆଶା ରହିଛି’’, କହିଛନ୍ତି ଫିକି ଟ୍ରାଭେଲ, ଟୁରିଜିମ ଏବଂ ହସ୍ପିଟାଲିଟି କମିଟିର ସହ ଅଧ୍ୟକ୍ଷ ଏବଂ ଫିକି ଡୋମେଷ୍ଟିକ ଟୁରିଜିମ କମିଟିର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜେ.କେ ମହାନ୍ତି।

ଓଡ଼ିଶା ଟ୍ରାଭେଲ ବଜାର ଅବସରରେ ଏକ ପ୍ରଦର୍ଶନୀ ଉଦଘାଟନ କରାଯାଇଥିଲା। ଏହାକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଥିଲେ।

ଏହି ମେଗା ଇଭେଣ୍ଟରେ ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ୍ ଓ ଭିତଏନାମ ଭଳି ଦେଶରୁ ୨୫ ବିଦେଶୀ ଟୁର ଅପରେଟର ଯୋଗ ଦେଇଛନ୍ତି। ସେହିପରି ଔରଙ୍ଗାବାଦ,ବେଙ୍ଗାଳୁରୁ, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୁଆହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ ଓ ଏନସିଆର, ପଂଜିମ୍‌, ପୁନେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ତ୍ରିଭେନ୍ଦ୍ରମ, ବାରାଣାସୀ ଓ ବିଶାଖାପାଟଣାରୁ ୮୩ ଘରୋଇ ଅପରେଟର ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଦେଶ ଓ ଦେଶ ବାହାରୁ ଆସିଥିବା ଟୁର୍‌ ଅପରେଟରମାନେ ଓଡ଼ିଶାର ହୋଟେଲିୟର ଏବଂ ଟୁର୍‌ ଅପରେଟରମାନଙ୍କ ସହ ବି ଟୁ ବି ଆଲୋଚନା କରିବେ। ଏହାସହ ରାଜ୍ୟ ସରକାର, ନିବେଶକ ଏବଂ ଏୟାରଲାଇନ୍ସ ଭିତରେ ବି ଟୁ ଜି ଆଲୋଚନା ମଧ୍ୟ ହେବ।

ଏହା ପରେ ଟୁର ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ – ଭୁବନେଶ୍ୱର, ପୁରୀ, କୋଣାର୍କ, ଚିଲିକି, ଧଉଳି, ଭିତରକନିକା ଓ ଲଳିତଗିରି ଆଦି ସ୍ଥାନକୁ ପରିଦର୍ଶନରେ ନିଆଯିବ। ଉଦଘାଟନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଓଏସ୍‌ଡି ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

୨୦୧୭ରେ ଓଡ଼ିଶା ଟ୍ରାଭେଲ ବଜାରର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା। ଏହାର ସଫଳତା ପରେ ୨୦୧୮ ଏବଂ ୨୦୧୯ରେ ମଧ୍ୟ ଏହା ଆୟୋଜନ କରାଯାଇଥିଲା। ତେବେ କୋଭିଡ୍‌ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ୨୦୨୨ରେ ପୁଣିଥରେ ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ଏବଂ ‘ବ୍ରାଣ୍ଡ ଓଡ଼ିଶା’କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବାରେ ‘ଓଡ଼ିଶା ଟ୍ରାଭେଲ ବଜାର’ ବିଶେଷ ସହାୟକ ହେବ।

Comment