ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟର ମୋରବୀ ଜିଲ୍ଲା ଅନ୍ତର୍ଗତ ମଚ୍ଛୁ ନଦୀ ଝୁଲା ପୋଲ ଛିଣ୍ଡି ଯିବାରୁ ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭୟଙ୍କର ଦୁର୍ଘଟଣା ରବିବାର ସନ୍ଧ୍ୟାରେ ଘଟିଥିଲା। ଦୁର୍ଘଟଣା ସମୟରେ ୧୦୦ ଲୋକ କ୍ଷମତା ବିଶିଷ୍ଟ ଏହି ଝୁଲା ପୋଲରେ ପ୍ରାୟ ୪୦୦ ଲୋକ ଉପସ୍ଥିତ ଥିବା କୁହାଯାଉଛି। ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲ ମରାମତି ଦାୟିତ୍ଵ ନେଇଥିବା ସଂସ୍ଥାର ୯ ଜଣଙ୍କୁ ଗିରଫ କରାଯାଇଛି।

ଉଦ୍ଧାର କାର୍ଯ୍ୟରେ ତିନି ସେନା ସହ ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ। ବ୍ରିଜ ପରିଚାଳନା କରୁଥିବା କମ୍ପାନି ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ କମିଟି ଗଠନ କରାଯାଇଛି।

ମୋରବୀ ସିଭିଲ ହସ୍ପିଟାଲରେ ଅନ୍ୟ ଡାକ୍ତରଖାନାଗୁଡ଼ିକର ୪୦ ଜଣ ଡାକ୍ତର ଉଦ୍ଧାର ହୋଇଥିବା ଲୋକଙ୍କ ଚିକିତ୍ସା ନିମନ୍ତେ ନିଯୁକ୍ତ ହୋଇଛନ୍ତି।

ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ଗୁଜରାଟ ସରକାର। ଗୁଜୁରାଟ ଗୃହ ବିଭାଗ ମନ୍ତ୍ରୀ ହର୍ଷ ସଂଘବୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଏକ କମିଟି ଗଠନ କରାଯାଇ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ ମଚ୍ଛୁ ନଦୀ ଝୁଲା ପୋଲର ନବୀକରଣ ନିମନ୍ତେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଏହାକୁ ବନ୍ଦ ରଖାଯାଇଥିଲା। ସାତ ମାସ ପରେ ଗତ ୨୬ ତାରିଖ ଦିନ ଏହାକୁ ପୁନର୍ବାର ଖୋଲାଯାଇଥିଲା। ଏହି ଝୁଲା ପୋଲର ନବୀକରଣ ଦାୟିତ୍ଵ ଅଜନ୍ତା ମ୍ୟାନୁଫାକଚରିଂ ନେଇଥିଲ। ଏହି ପୋଲଟି ପ୍ରାୟ ୧୪୩ ବର୍ଷ ପୁରୁଣା ବୋଲି କୁହାଯାଉଛି। ଏହାର ଲମ୍ବ ୭୬୫ ଫୁଟ ଏବଂ ଓସାର ୪ ଫୁଟ ରହିଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଯାଇ ମୃତକଙ୍କ ପରିବାର ଏବଂ ଆହତମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Tags: #141Dead #GujaratMachhuRiver #HangingBridge #Tragedy #Arrest

Comment