ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସୋମବାରଠାରୁ ରାଜଧାନୀ ଭୁବନେଶ୍ଵରରୁ ଜୟପୁର ସହରକୁ ଆରମ୍ଭ ହେଲା ବିମାନ ସେବା। ଆଜି ସକାଳ ୧୦ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜୟପୁରକୁ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେବା ଆରମ୍ଭ ହେବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି। ଭୁବନେଶ୍ଵରଠାରୁ ଜୟପୁର ସହର ମଧ୍ୟରେ ଏୟାରଓ୍ଵାନ ଇଣ୍ଡିଆ ବିମାନ ସେବା ଆରମ୍ଭ ହୋଇଛି।

ଓଡ଼ିଶା ସରକାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଭାରତ ସରକାର ଏବଂ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ମିଳିତ ଉଦ୍ୟମରେ ଜୟପୁର ବିମାନ ବନ୍ଦରକୁ ‘ଉଡ଼ାଣ’ ଯୋଜନାରେ ନିର୍ଦ୍ଧାରିତ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି।

ଜୟପୁର ଏୟାରପୋର୍ଟରୁ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବା ନେଇ ଗତ ୨୦ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ) ଅନୁମତି ପ୍ରଦାନ କରିଥିଲା। ଡିଜିସିଏର ଅନୁମିତ ଅନୁସାରେ ଜୟପୁର ଏୟାରପୋର୍ଟରୁ ପ୍ରତ୍ୟେହ ସମାନ ସମୟରେ ଏରୋଡ୍ରମରୁ ଯାତ୍ରୀମାନଙ୍କୁ ନେଇ ଉଡ଼ାଣ ଭରିବ ବିମାନ।

ଗତ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଇଣ୍ଡିଆ ଓ୍ଵାନ ଏୟାର ନାମକ ଏକ ସଂସ୍ଥାକୁ ଜୟପୁର-ଭୁବନେଶ୍ୱର ଓ ଜୟପୁର-ବିଶାଖାପାଟଣା ମଧ୍ୟରେ ୯ ସିଟ ଯୁକ୍ତ ବିମାନ ଚଳାଇବାକୁ ଅନୁମତି ପ୍ରଦାନ କରିଥିଲା। କିନ୍ତୁ ଡିଜିସିଏ ପକ୍ଷରୁ ଅନୁମତି ମିଳିନଥିବାରୁ ଏହି ବିମାନରେ ଯାତ୍ରା କରିପାରୁ ନଥିଲେ ଯାତ୍ରୀ।

ଗତ ୧୩ ତାରିଖରେ ୨ ଦିନ ଧରି ଡିଜିସିଏ ଓ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି ଟିମ ଜୟପୁର ଏୟାରପୋର୍ଟରେ ପହଞ୍ଚି ଯାଞ୍ଚ କରି ଫେରିଥିଲେ। ଏହା ପରେ ଏହି ଏୟାରପୋର୍ଟରୁ ଯାତ୍ରୀ ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି। ଏହି ଅନୁମତି ପରେ ଏବେ ଜୟପୁର ସହର ସହ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

ଭୁବନେଶ୍ୱର-ଜୟପୁର-ବିଶାଖାପାଟଣା ଓ ବିଶାଖାପାଟଣା-ଜୟପୁର-ଭୁବନେଶ୍ୱର ପ୍ରଥମ ପଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଉଡ଼ାଣ ଭରିବ। ପରବର୍ତ୍ତୀ ସମୟରେ ବଡ଼ ବିମାନ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି।

Tags: #FlightService #FlightServiceBhubaneswartoJoypure #CMOdisha #CMLaunchesFlightService #DCGA #IndiaOneAir

Comment