ଓଡ଼ିଶାଲାଇଭ୍ ବ୍ୟୁରୋ

ଝୁଲା ପୋଲର ମରାମତି ଲାଗି ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା। ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଗୁଜରାଟ ମୋରବୀ ଝୁଲା ପୋଲ ଟ୍ରାଜେଡି ପରେ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ସକାଳେ ଧବଳେଶ୍ୱର ପୀଠ ନିକଟ ଝୁଲା ପୋଲରେ ଯାତ୍ରୀଙ୍କ ନିମନ୍ତେ କଟକଣା ଜାରି କରାଯାଇଥିଲା। ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିବା ପରେ ପୋଲ ମରାମତି ପାଇଁ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଆସନ୍ତାକାଲି ଗୋଟିଏ ଦିନ ପାଇଁ ଝୁଲା ପୋଲ ବନ୍ଦ ରହିବ ବୋଲି ସୂଚନା ଦେଇଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

ଦୁର୍ବଳ ହୋଇପଡ଼ିଥିବା ଏହି ଝୁଲା ପୋଲରେ ଯାତ୍ରା କରିବା ଯାତ୍ରୀମାନଙ୍କ ପାଇଁ ବିପଦପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ତେଣୁ ଲୋଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲ ଦେଇ ଯାତାୟତ ଉପରେ କଟକଣା ଲାଗୁ କରାଯାଇଥିଲା। ଅନ୍ୟ ପଟେ ବଡ଼ଓଷା ନିମନ୍ତେ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ଅନୁମତି ଦେବାକୁ ପ୍ରଶାସନ ନିକଟରେ ନିବେଦନ କରିଥିଲେ।

ଏହି ସମୟ ମଧ୍ୟରେ ପ୍ରବଳ ଭିଡ଼ ହେବାକୁ ଥିବାରୁ ଏତେ ଯାତ୍ରୀଙ୍କୁ ଡଙ୍ଗାରେ ନେବା ଆଣିବା କରିବା ସମ୍ଭବ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏବେ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ପୋଲ ମରାମତି କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।

Tags: #DhableswarTemple #Section144 #DhabaleswarShrine #Athgarh #Cuttack

Comment