ଓଡ଼ିଶାଲାଇଭ୍ ବ୍ୟୁରୋ

ଝୁଲା ପୋଲ ନିକଟରେ ନୁହେଁ ବରଂ ଧବଳେଶ୍ଵର ପୀଠକୁ ଯିବାକୁ ଥିବା ମୁଖ୍ୟରାସ୍ତା ଗେଟ ସମ୍ମୁଖରେ ଭକ୍ତଙ୍କ ଲାଗି ଏଲଇଡି ସ୍କ୍ରିନରେ ବାବା ଧବଳେଶ୍ଵରଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯିବ। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଭକ୍ତମାନେ କେବଳ ସ୍କ୍ରିନ ମାଧ୍ୟମରେ ଠାକୁରଙ୍କର ଦର୍ଶନ କରିପାରିବେ। ଏହି ସମୟରେ ପୂର୍ଜାର୍ଚ୍ଚନା ଏବଂ ଭୋଗ କରିବାରୁ ବଞ୍ଚିତ ରହିବେ ଭକ୍ତ। ଭକ୍ତଙ୍କର ଭିଡ଼ ବଢ଼ିଲେ ଆଉ ଏକ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ କହାଯାଇଛି।

ଅସୁରକ୍ଷିତ ହୋଇପଡ଼ିଥିବା ଝୁଲା ପୋଲର ମରାମତି ପାଇଁ ଧବଳେଶ୍ଵର ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ୧୪୪ ଧାରା। ଲୋକଙ୍କ ସୁରକ୍ଷା ଲାଗି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ବଡ଼ଓଷା ଏବଂ ପଞ୍ଚୁକରେ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅନୁରୋଧ ପରେ ଝୁଲା ପୋଲ ନିକଟରେ ଏଲଇଡି ସ୍କ୍ରିନରେ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ବୁଧବାର ଦିନ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା।

ଏଥର ବି ପଞ୍ଚୁକରେ ଭକ୍ତମାନେ ସିଧାସଳଖ ବାବା ଧବଳେଶ୍ଵରଙ୍କର ଦର୍ଶନ କରିପାରିବେ ନାହିଁ। ଧବଳେଶ୍ଵରଙ୍କୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ।

ବୁଧବାର ଦିନ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଝୁଲାପୋଲ ଦେଖିବା ସହ ଏହାର ସ୍ଥିତି ସମୀକ୍ଷା କରିଛନ୍ତି। ପୋଲରେ ଅଧିକାଂଶ ସ୍ଥାନରେ କଳଙ୍କି ଲାଗିବା ସହ ଫାଟ ସୃଷ୍ଟି ହୋଇଛି। ପଞ୍ଚୁକ ଏବଂ ବଡ଼ଓଷା ଲାଗି ଧବଳେଶ୍ଵର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ସମ୍ଭାବନା ରହିଛି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲ ମରାମତି ନହେବା ପର୍ଯ୍ୟନ୍ତ ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି ରହିବ।

ଗତ ଅକ୍ଟୋବର ୩୧ ତାରିଖରେ ଗୁଜରାଟର ମୋରବୀ ମଚ୍ଛୁ ନଦୀ ଝୁଲାପୋଲ ଟ୍ରାଜେଡି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି।

କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ପଞ୍ଚୁକ ଏବଂ ବଡ଼ଓଷା ଅବସରରେ ଧବଳେଶ୍ଵରଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ ଭକ୍ତ। ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା। ଏଥର କାରଣ ସମ୍ପୂର୍ଣ୍ଣ ଭିନ୍ନ। ୨୦୦୬ ମସିହାରେ ଆଠଗଡ଼ ଧବଳେଶ୍ଵରଙ୍କ ପୀଠକୁ ଯିବା ଲାଗି ନିର୍ମାଣ ହୋଇଥିଲା ୧,୫୦୦ କ୍ଷମତା ବିଶିଷ୍ଟ ଝୁଲା ପୋଲ। କ୍ରମଶଃ ଧୀରେ ଧୀରେ ଏହାର କ୍ଷମତା ୨୦୦କୁ ଖସି ଆସିଥିଲା। ଏବେ ପୋଲଟି ଅସୁରକ୍ଷିତ ହୋଇପଡ଼ିଥିବାରୁ ମରାମତି ନହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ନିମନ୍ତେ କଟକଣା ଜାରି କରାଯାଇଛି।

Tags: #DhableswarTemple #Section144 #DhabaleswarShrine #Athgarh #Cuttack

Comment