ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ମସିହାରେ ହେବାକୁ ଥିବା ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂକଳ ପରୀକ୍ଷା ଲାଗି ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନଭେମ୍ବର ୧୪ରୁ ୧୯ ତାରିଖ ମଧ୍ୟରେ ବିନା ଫାଇନରେ ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ନଭେମ୍ବର ୨୧ରୁ ୨୩ ତାରିଖ ମଧ୍ୟରେ ଫି’ ଦାଖଲ କରିବାକୁ ତାରିଖ ଧାର୍ଯ୍ୟ ହୋଇଛି। ଏହା ସହିତ ନଭେମ୍ବର ୨୧ରୁ ୨୬ ତାରିଖ ମଧ୍ୟରେ ଫର୍ମ ପୂରଣ କଲେ ୧୦୦ ଟଙ୍କା ଏବଂ ୨୮ରୁ ୩୦ ତାରିଖ ମଧ୍ୟରେ ଫର୍ମ ପୂରଣ କଲେ ୪୫୦ ଟଙ୍କା ଫାଇନ ଦେବେ ଛାତ୍ରଛାତ୍ରୀ। ଯେଉଁମାନେ ୧୦୦ ଟଙ୍କା ଫାଇନ ଦେଇ ଫର୍ମ ପୂରଣ କରିବେ, ସେମାନେ ୨୮ରୁ ୩୦ ଏବଂ ୪୫୦ ଟଙ୍କା ଫାଇନ ଦେଇଥିବା ଛାତ୍ରଛାତ୍ରୀ ଡିସେମ୍ବର ୧ରୁ ୩ ତାରିଖ ମଧ୍ୟରେ ଫି’ ଦାଖଲ କରିବେ। ଫର୍ମ ପୂରଣ ବାବଦକୁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡ଼ିବ। ଏଥିସହ ପ୍ରାକ୍ଟିକାଲ ଲାଗି ପେପର ପିଛା ୪୦ ଟଙ୍କା ଫି’ ଦେବାକୁ ହେବ।

କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ। ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ପିଲାଙ୍କ ଫର୍ମ ପୂରଣ କରିବା ପାଇଁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଏ ନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଏଥିସହ ଫର୍ମ ପୂରଣ ନେଇ ଗାଇଡଲାଇନ ଜାରି କରାଯାଇଛି।

Tags: #Eductaion #+2 #Examination #FormFillUp #FineDate #CHSE

Comment