ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଆ ସଙ୍ଗୀତ ଜଗତର ସ୍ଵନାମଧନ୍ୟ ଗୀତିକାର ନିମାଇଁ ମହାନ୍ତିଙ୍କର ଦେହାନ୍ତ ହୋଇଛି। କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ଓଡ଼ିଶା ହରାଇଛି ଜଣେ ବିଶିଷ୍ଟ ଗୀତିକାରଙ୍କୁ। ବାରିପଦା ପୁରୁଣା ହାଟସାହିସ୍ଥିତ ବାସ ଭବନରେ ତାଙ୍କର ବିୟୋଗ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ଅସୁସ୍ଥ ଥିଲେ।

ଗୀତିକାର ନିମାଇଁ ମହାନ୍ତି ଆଗଧାଡ଼ିର ଗୀତିକାର ସହ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ ଥିଲେ। ସେ ୩୦ରୁ ଅଧିକ ଓଡ଼ିଆ ସିନେମାରେ ଗୀତିକାର ଭାବେ ଖ୍ୟାତିଅର୍ଜନ କରିଛନ୍ତି। ସେ ୩୦୦ରୁ ଅଧିକ ଗୀତ ଲେଖିଛନ୍ତି। ଓଡ଼ିଆ ସିନେମା ‘ପରଦେଶୀ ଚଢ଼େଇ’, ‘ସାଗର ଗଙ୍ଗା’, ‘ମୋ କାହ୍ନାରେ’, ‘ଅକୁହା କଥା’, ‘ଗୋରେ ବଢ଼ୁଛି କଳା କହ୍ନେଇ’, ‘ସମୟ ଖେଳୁଛି ଚକା ଭଉଁରୀ’, ‘ଇଡିଅଟ’, ‘ପ୍ରେମରୋଗୀ’, ‘ତୁ ରାଜା ମୁଁ ରାଣୀ’, ‘ଇସ୍କ ତୁହି ତୁ’ ଏବଂ ‘ଅ ଆ ଇ’ ଭଳି ଅନେକ ସୁପର ହିଟ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି। ନିମାଇଁ ମହାନ୍ତି ଆଧୁନିକ ଏବଂ ଝୁମର ଗୀତିକାର ଭାବେ ପରିଚତ।

ନିମାଇଁ ମହାନ୍ତିଙ୍କ ଦ୍ଵାରା ଚିତ ଗୀତ ‘ଚନ୍ଦ୍ରମା ଆଗୋ ଚନ୍ଦ୍ରମା, ତୁମେ ମେଘ ତଳେ ଲୁଚି ଯାଅନା…’ ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ଛାପ ଛାଡ଼ିଥିଲା। ଆଜି ସେ ଗୀତ ନିଜର ପରିଚିତ ହରାଇ ନାହିଁ।

ସେ ନିଜ ଜୀବନକୁ ସଙ୍ଗୀତ ଏବଂ ସାହିତ୍ୟ ପାଇଁ ସମର୍ପଣ କରିଦେଇଥିଲେ। ସଂଗୀତ କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନେକ ପୁରସ୍କାର ପ୍ରାପ୍ତ ହୋଇଛି। ୨୦୦୧ ମସିହାରେ ମୟୂରଭଞ୍ଜର ଛଉନୃତ୍ୟ ଗବେଷଣା ପାଇଁ ସେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଏବଂ ୨୦୧୦ ମସିହାରେ ଓଡ଼ିଶା ସଂଗୀତ ଏକାଡେମୀ ପୁରସ୍କାର ପାଇଥିଲେ।

ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ନିମାଇଁ ମହାନ୍ତିଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଓଡ଼ିଆ ସିନେ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ କଣ୍ଠଶିଳ୍ପୀ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Tags: #FamousOdiaLyricist #NimainMohanty #Death #OdiaCinema #OdiaMusic #OdiaCinemaSong

Comment