ଓଡ଼ିଶାଲାଇଭ୍ ବ୍ୟୁରୋ

ଭୂମିକମ୍ପରେ ଥରିଲା ୩ ଦେଶ । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ଭାରତ, ଚୀନ ଓ ନେପାଳରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଯାହାଫଳରେ ଭାରତ, ଚୀନ ଓ ନେପାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ମଣିପୁରରେ ରହିଥିବାବେଳେ ଏହା ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରୁ  ୯୦ କିଲୋମିଟର ଦକ୍ଷିଣ ପୂର୍ବ ନେପାଳ ସୀମାରେ ଅବସ୍ଥିତ ଏବଂ ଏହା ଭୂମିରୁ ୧୦ କିମି ତଳେ ରହିଥିଲା ।

ଭାରତରେ ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରର ଅନେକ ସହରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପର ଝଟ୍‌କା ଅନୁଭୂତ ହେବାରୁ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଗାଜିଆବାଦ, ଲକ୍ଷ୍ନୌ ଆଦି ସହରରେ ଲୋକେ ରାତି ଅଧରେ ଆତଙ୍କିତ ହୋଇ ଘରୁ ବାହାରକୁ ଆସିଥିଲେ।

ଭୂମିକମ୍ପ ଦ୍ୱାରା ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାରେ ପାହାଡ଼ିଆ ଅଞ୍ଚଳରେ ଘର ଭୁଶୁଡ଼ି ପଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଛି।  ନେପାଳରେ ଭୂମିକମ୍ପର ଗୋଟେ ପରେ ଗୋଟେ ୩ଟି ଝଟ୍‌କା ଅନୁଭୂତ ହୋଇଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବିକ ନେପାଳରେ ମଙ୍ଗଳବାର ରାତିରେ ପ୍ରାୟ ୮ଟା ୫୨ ମିନିଟରେ ପ୍ରଥମ, ୯ଟା ୪୧ ମିନିଟରେ ଦ୍ଵିତୀୟ ଏବଂ ବିଳମ୍ବିତ ରାତି ୧ଟା ୫୭ ମିନିଟ୍‌ରେ ଭୂମିକମ୍ପର ମୁଖ୍ୟ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲରେ ଏହି  ଭୂକମ୍ପର ତୀବ୍ରତା ୬.୩ ଥିଲା। ଭୂମିକମ୍ପର ଝଟ୍‌କାରେ ଦୋତି ଜିଲ୍ଲାରେ ଘର ଭୁଶୁଡ଼ି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ଯାଏ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୁଖ୍ୟ ଭୁମିକମ୍ପ ପରେ ହେବା ପରେ ଆଜି ସକାଳରେ ୬ଟା ୨୭ ମିନିଟରେ ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଭୁକମ୍ପ ପରବର୍ତ୍ତୀକାଳୀନ ଝଟ୍‌କା ଦେଖିବାକୁ ମିଳିଥିଲା। ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଉକ୍ତ ଭୁମିକମ୍ପରେ ଭାରତରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ।

Tags: #Earthquake #Nepal #NorthIndia #6PeopleDied

Comment