ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ରହିଥିଲେ । ବିମାନ ବନ୍ଦରରେ ଗାର୍ଡ ଅଫ ଅନର ପରେ ପୁରୀ ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି। ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି। ଏହାସହ ଦୁଇଦିନ ଧରି ମହାମହିମଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି

ଓଡ଼ିଶା ମାଟିର ଗର୍ବ ଓ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ଏହି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଷ୍ଟ୍ରପତିଙ୍କୁ ସମ୍ମାନ ପାଇଁ  ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ ।

ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ବ୍ଲୁବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଭୁବନେଶ୍ଵର ଡିସିପିଙ୍କ ନେତୃତ୍ଵରେ ରହିବ ସୁରକ୍ଷା ବ୍ୟବସ୍ଥା। ବିମାନବନ୍ଦର, ରୁଟ୍ ଲାଇନ ଓ ରାଜଭବନ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା। ସବୁ ଥାନାକୁ କରାଯାଇଛି ଆଲର୍ଟ ।

ଭୁବନେଶ୍ଵର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ଵତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ବେଢ଼ା ପରିକ୍ରମା କରିବେ। ୪୫ ମିନଟର ଦର୍ଶନ କାର୍ଯ୍ୟକ୍ରମ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ରାଜଭବନରେ ରହିଛି ମହାପ୍ରସାଦ ସେବନ ବ୍ୟବସ୍ଥା। ସୁରକ୍ଷା ଲାଗି ୨୪ ପ୍ଲାଟୁନ ପୋଲିସ ଫୋର୍ସ, ୫ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସପି, ୧୮ ଡିଏସପି, ୩୦ ଇନ୍ସପେକ୍ଟର, ୧୧୦ ଏଏସଆଇ ଓ ଏସଆଇ ମୁତୟନ ହୋଇଛନ୍ତି। ପୋଲିସ ପକ୍ଷରୁ ବି କରାଯାଇଛି କାରକେଡ ରିହର୍ସଲ।

ପୁରୀରୁ ମହାମହିମ ଭୁବନେଶ୍ଵର ଆସି ଏକାଧିକ ଛକରେ ଥିବା ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ। ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗଦେବେ। ପରେ ଦିଲ୍ଲୀ ପ୍ରତ୍ୟବର୍ତ୍ତନ କରିବେ ।

Tags: #DraupadiMurmu #PresidentOfIndia #OdishaVisit #Bhubaneswar #NaveenPatnaik

Comment