ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଅମଳ ପୂର୍ବରୁ ଧାନ ଫସଲରେ ଚକଡ଼ା ପୋକ ଲାଗିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ପ୍ରଥମେ ନକଲି ଧାନ ବିହନ ଏବେ ଧାନ ଫସଲରେ ଚକଡ଼ା ପୋକ କୋରାପୁଟର ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚକଡ଼ା ପୋକ ଲାଗି ହେକ୍ଟର ହେକ୍ଟର ଚାଷ ଜମିର ଧାନ ଫସଲ ନଷ୍ଟ ହୋଇଛି। ଖାସ କରି ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗୁଡ଼ା ଗାଁ ଏବଂ ଅଞ୍ଚଳା ପଞ୍ଚାୟତରେ ଏହି ପରିସ୍ଥିତି ମୁଣ୍ଡ ଟେକିଛି।

ଚାଷୀଙ୍କ କହିବା ଅନୁସାରେ ହେକ୍ଟର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ଅମଳ ପୂର୍ବରୁ ଧାନ ଗଛରେ ଲାଗିଛି ଚକଡ଼ା ପୋକ। କୀଟନାଶକ ଔଷଧ ପ୍ରୟୋଗ କରି ପୋକ ମାରିବାକୁ ଚେଷ୍ଟା କଲେ ମଧ୍ୟ କୌଣସି ଲାଭ ହେଉନାହିଁ। ନିରାଶ ଚାଷୀ ଏବେ ପାରମ୍ପରିକ ପୂଜାର୍ଚ୍ଚନା କରି ଚକଡ଼ା ପୋକ ଦାଉରୁ ମୁକୁଳିବାକୁ ପ୍ରୟାସ ଚଳାଇଛନ୍ତି।

ଧାନ ଫସଲ ନଷ୍ଟ ହେବା ନେଇ ନୂଆଗୁଡ଼ା ଗାଁ ଏବଂ ଅଞ୍ଚଳା ପଞ୍ଚୟତ ଚାଷୀ ସ୍ଥାନୀୟ କୃଷିଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଅନେକ ଥର ଗୁହାରି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ବୋରିଗୁମ୍ମା ବ୍ଲକର ପ୍ରାୟ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଏହି ବ୍ଲକରେ ପ୍ରାୟ ୩୭ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ଚଳିତ ବର୍ଷ ବ୍ଲକର ଅନେକ ସ୍ଥାନରେ ନେକ ବ୍ଲାଷ୍ଟିଙ୍ଗ ଏବଂ ଚକଡ଼ା ପୋକଙ୍କୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି।

ଚକଡ଼ା ପୋକ ଲାଗି ପ୍ରାୟ ୨୫ ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଛି। କରଜ କରି ଚାଷ କରିଥିବା ଚାଷୀ ଧାନ ଅମଳ ପରେ କରଜ ସୁଝିବାକୁ ସମର୍ଥ ହେବେକି ନାହିଁ ଆଶଙ୍କାରେ ରହିଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋରିଗୁମ୍ମା ବ୍ଲକର ଅତିରିକ୍ତ କୃଷି ଅଧିକାରୀ।

Tags: #Paddy #Pest #PaddyCrop #Koraput #Joypure

Comment