ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ସପ୍ତାହରୁ ବାବା ଧବଳେଶ୍ଵରଙ୍କୁ ପୀଠରେ ଦର୍ଶନ କରିପାରିବେ ଭକ୍ତ। ଅସୁରକ୍ଷିତ ହୋଇପଡ଼ିଥିବା ଝୁଲାପୋଲରେ ଯାତାୟତ ବନ୍ଦ ରହିଥିବାରୁ ଡଙ୍ଗା ଯୋଗେ ଭକ୍ତମାନେ ଧବଳେଶ୍ଵରଙ୍କ ପୀଠକୁ ଯାଇ ଦର୍ଶନ କରିପାରିବେ ବୋଲି ଆଜି ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସପ୍ତାହକୁ ୪ ଦିନ ଭକ୍ତମାନେ ବାବାଙ୍କ ଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।

ଡଙ୍ଗାରେ ଧବଳେଶ୍ଵରଙ୍କ ପୀଠକୁ ଯିବା ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି। ଏହି ସମୟରେ ଲାଇଫ୍ ଜ୍ୟାକେଟ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ମଙ୍ଗଳବାର ଦିନଠାରୁ ଡାଙ୍ଗା ଯୋଗେ ଧବଳେଶ୍ଵରଙ୍କ ପୀଠରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଭିଡ଼କୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

 

ଧବଳେଶ୍ଵରଙ୍କ ପୀଠକୁ ଯିବା ଲାଗି ଥିବା ଝୁଲା ପୋଲ ଅସୁରକ୍ଷିତ ହୋଇପଡ଼ିଥିବାରୁ ଗତ ଅକ୍ଟୋବର ୩୧ ତାରିଖଠାରୁ ପ୍ରଶାସନ ପକ୍ଷରୁ ଏଥିରେ ଯାତାୟତ ବନ୍ଦ କରାଯାଇଥିଲା। ଏହା ସହିତ ପୋଲ ମରାମତି ହେବା ପର୍ଯ୍ୟନ୍ତ ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି କରିଥିଲା ପ୍ରଶାସନ।

ବଡ଼ ଓଷାରେ ମଧ୍ୟ ପୀଠକୁ ଯାଇ ଧବଳେଶ୍ଵରଙ୍କ ଦର୍ଶନ କରିବାକୁ ବାରଣ କରାଯାଇଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ପରେ ଧବଳେଶ୍ୱରଙ୍କ ପୀଠକୁ ଯିବାକୁ ଥିବା ମୁଖ୍ୟରାସ୍ତା ଫାଟକ ନିକଟରେ ଏକ ବଡ଼ ଏଲଇଡି ସ୍କ୍ରିନରେ ଧବଳେଶ୍ୱର ଦେବଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ତଥାପି ଭକ୍ତଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରୁ ଆସନ୍ତା ସପ୍ତାହରୁ ଭକ୍ତମାନେ ବାବା ଧବଳେଶ୍ୱରଙ୍କୁ ପୀଠରେ ଦର୍ଶନ କରିବା ଲାଗି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Tags: #Dhabaleswar #DhabaleswarDarshan #Cuttack #Athagarh

Comment