ଓଡ଼ିଶାଲାଇଭ୍ ବ୍ୟୁରୋ

“ଆମ ସଂସାର ଉଜୁଡ଼ି ଗଲା…। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୋ ମା’ ଆଉ ଭଉଣୀର ଜୀବନ ନେଇଗଲା ମାଲବାହୀ ଟ୍ରେନ”, ଲୁହ ଭିଜା ଆଖି ଆଉ କୋହଭରା କଣ୍ଠରେ ଏମିତି କହିଛନ୍ତି ମୃତ ପାର୍ବତୀ ବିନ୍ଧାଣୀଙ୍କ ପୁଅ କାହ୍ନୁ ବିନ୍ଧାଣୀ।

କୋରେଇ ରେଳ ଷ୍ଟେସନରେ ସୋମବାର ଦିନ ମାଲବାହୀ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପାର୍ବତୀ ବିନ୍ଧାଣୀ ଏବଂ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣୀ। ପାର୍ବତୀଙ୍କ କୋଳରେ ଥିବା ମାତ୍ର ଅଢ଼େଇ ମାସର ଶିଶୁର ଅବସ୍ଥା ଏବେ ସଙ୍କଟାପନ୍ନ। ଯାଜପୁର ଡାକ୍ତରଖାନାରେ ଶିଶୁଟି ଏବେ ଜୀବନ-ମରଣ ସାଙ୍ଗେ ସଂଘର୍ଷ କରୁଛି।

“କଣ୍ଢେଇର ଦେହ ଖରାପ ଥିଲା। ଆଜି ସକାଳୁ କଣ୍ଢେଇ ଆଉ ମୋ ମା’ କଟକ ବଡ଼ ଡାକ୍ତରଖାନାକୁ ଯିବେ ବୋଲି ଟିକେଟ କରି କୋରେଇ ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ। ଟ୍ରେନ ଆସିବାକୁ ଆଉ ମାତ୍ର ୨୫ ମିନିଟ ବାକିଥିଲା। ଏତିକି ସମୟରେ ସବୁ ଓଲଟ ପାଲଟ ହୋଇଗଲା। କେହି କିଛି ବୁଝିଆ ଆଗରୁ ରେଳ ଷ୍ଟେସନ ନିକଟ ଅପେକ୍ଷା ଗୃହ ଏବଂ ଟିକେଟ କାଉଣ୍ଟର ଆଡକୁ ମାଡ଼ି ଆସିଥିଲା ମାଲବାହୀ ଟ୍ରେନ୍‌ର ୮ଟି ବଗି। ଗୋଟିଏ ବଗି ମା’ ଆଉ କଣ୍ଢେଇକୁ ଘୋଷାରି ଘୋଷାରି ନେଇ କାନ୍ଥରେ ପିଟି ଦେଲା। ସେଇଠି ମୋ ମା’ ଆଉ ଭଉଣୀର ଜୀବନ ଚାଲିଗଲା”, କାନ୍ଦି କାନ୍ଦି କହିଛନ୍ତି କାହ୍ନୁ ବିନ୍ଧାଣୀ। 

ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇ ଥିଲେ ପାର୍ବତୀ ବିନ୍ଧାଣୀ ଏବଂ ଅସୁସ୍ଥ ଝିଅ କଣ୍ଢେଇ। ଏପଟେ ମୃତକଙ୍କ ପରିବାର ପାଇଁ ୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ସରକାର।

ପାର୍ବତୀଙ୍କ ପୁଅ କାହ୍ନୁ କହିଛନ୍ତି, ମୋ ମା’ ଆଉ ଭଉଣୀ ତ ମରିଗଲେ। ଆମ ସଂସାର ଉଜୁଡ଼ି ଗଲା। ସରକାରଙ୍କ ଟଙ୍କା କ’ଣ ମୋ ମା’-ଭଉଣୀକୁ ଫେରେଇ ଦେବ।

ଏହି ଦୁର୍ଘଟଣା କେବଳ କିଛି ଲୋକଙ୍କୁ ମୃତାହତ କରିନାହିଁ, ଅନେକ ହସର ଖୁସିର ସଂସାରକୁ ଉଜାଡ଼ି ଦେଇଛି।

Tags: #TrainAccident #Death #KoreiRailwayStation #ImotionalStory #KanhuBindhani #ParbatiBindhani

Comment