ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡୋନେସିଆର ଜାଭାରେ ସୋମବାର ଦିନ ୧୨ଟା ବେଳେ ବଡ଼ଧରଣର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂମିକମ୍ପରେ ୨୫୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଏହାଛଡା ୭୦୦ରୁ ଉର୍ଦ୍ଧ୍ଵ ଲୋକେ ଆହତ ହୋଇଛନ୍ତି। ପ୍ରାରମ୍ଭିକ ଭାବେ ଏହି ଭୂମିକମ୍ପରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା
ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ପଶ୍ଚିମ ଜାଭା ରାଜ୍ୟର ସିୟାଞ୍ଜୁର ସହର ରହିଥିଲା ଏବଂ ଏହା ଭୂମିରୁ ୧୦ କିମି ତଳେ ରହିଥିଲା । ଏହାର ଝଟକା ୨୦୦ କିମି ଦୂର ରାଜଧାନୀ ଜାକର୍ତ୍ତାରେ ମଧ୍ୟ ଅନୁଭୂତ ହୋଇଥିଲା ।
ଏହି ସିୟାଞ୍ଜୁର ସହରରେ ଭୂମିକମ୍ପ ଫଳରେ ବହୁତ କ୍ଷୟକ୍ଷତି ହୋଇଛି। ସହରରେ ଥିବା ଏକ ସ୍କୁଲ ଭୁଷୁଡିପଡିବା ଫଳରେ ଅନେକ ସ୍କୁଲପିଲା ମୃତ୍ୟୁବରଣ କରିଛନ୍ତି। ସହର ପାଖରେ ଥିବା ଏକ ଗାଁ ଭୁସ୍ଖଳନ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି।
ଉଦ୍ଧାରକାରୀ ଦଳ ଭାଙ୍ଗି ଯାଇଥିବା ଘରମାନଙ୍କରୁ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଇଣ୍ଡୋନେସିଆର ସେନା ମଧ୍ୟ ଏହି ଉଦ୍ଧାରକାର୍ଯ୍ୟରେ ନିଯୋଜିତ ହୋଇଛି। ଏହି ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ ଭାଙ୍ଗି ଯାଇଥିବାରୁ ଉଦ୍ଧାରକାର୍ଯ୍ୟରେ ଅସୁବିଧା ହେଉଛି। ପରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପରେ ବୋଲି ଆଶଙ୍କା କରିଯାଉଛି।
ଉଦ୍ଧାରକାରୀ ଦଳ ମୃତଦେହଗୁଡିକୁ ରାଜଧାନୀ ଜାକର୍ତ୍ତାକୁ ଅଣୁଛନ୍ତି। ଇଣ୍ଡୋନେସିଆର ରାଷ୍ଟ୍ରପତି ଜ୍ୟକୋ ୱିଡୋଡୋ ଏହି ସିୟାଞ୍ଜୁର ସହର ଗସ୍ତ କେରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହି ଦୁଃଖର ମୁହୂର୍ତ୍ତରେ ଭାରତ ଇଣ୍ଡୋନେସିଆ ସହ ଛିଡାହୋଇଥିବାର ସେ କହିଛନ୍ତି।
Tags: #Earthquake #Indonesia #Java #252Dead #700injured