ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଫୁଲପଦର ଗାଁର ଜଣେ କଲେଜ ଛାତ୍ର କୋରାପୁଟରୁ ନିଖୋଜ ହେବା ଘଟଣାର ଫର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ। ଛାତ୍ର ଜଣକ ନିଖୋଜ ହୋଇନଥିଲେ ବରଂ ତାଙ୍କୁ ଏମ ରାମପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡା ଅଞ୍ଚଳର ଜିତେନ୍ଦ୍ରିୟ ବାଘ ଅପହରଣ କରିନେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ମନୋଜ ପୁଜାରୀ ଓ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପୋଲିସର ସୂଚନା ଅନୁସାରେ ଜିତେନ୍ଦ୍ରିୟ ଫୁଲପଦର ଗାଁର ଜଣେ ପାଷ୍ଟରଙ୍କ କଲେଜ ପଢ଼ୁଆ ପୁଅକୁ କାଶ୍ମୀର ବୁଲିଯିବାକୁ କହି ସାଙ୍ଗରେ ନେଇଯାଇଥିଲେ। ପୁଅ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ପରେ ଜିତେନ୍ଦ୍ରିୟ ତାଙ୍କ ପୁଅକୁ ନେଇ କେଉଁଆଡ଼େ ଯାଉଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ କହିଥିଲେ। ଦୁଇ ଦିନ ପରେ ଛାତ୍ରଙ୍କ ପରିବାରକୁ ଫୋନ କରି ୫୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ ଜିତେନ୍ଦ୍ରିୟ।

ଏ ସମ୍ପର୍କରେ ଅପହୃତ ଛାତ୍ରଙ୍କ ବାପା କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଜିତେନ୍ଦ୍ରିୟ ଛାତ୍ର ଜଣକୁ କାଶ୍ମୀରରୁ ରାଉରକେଲାରେ ପହଞ୍ଚି ଜଣେ ସହଯୋଗୀଙ୍କ ଘରେ ରଖିଥିବା ସୂଚନା ପାଇ ଟାଉନଥାନା ପୋଲିସର ଏକ ଟିମ ରାଉରକେଲାରେ ପହଞ୍ଚି ଅପହୃତ ଛାତ୍ରକୁ ସେକ୍ଟର-୭ ଅଞ୍ଚଳରୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ଜିତେନ୍ଦ୍ରିୟକୁ ଗିରଫ କରିବା କରିବା ସହ ୨ଟି ମୋବାଇଲ ଜବତ କରିଛି ପୋଲିସ।

Tags: #Koraput #Student #Kidnap #Rescue #Police #Kidnaper

Comment