ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ୯ରୁ ସକାଳ ୮ ପର୍ଯ୍ୟନ୍ତ କୋରାପୁଟର ଦେଓମାଳିରେ ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ଅବଦଲ୍ ଏମ୍ ଅଖତର ଘୋଷଣା କରିଛନ୍ତି। ସୋମବାର ମଧ୍ୟରାତ୍ରୀରୁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସେ ନିର୍ଦ୍ଦେଶ ଜାରି କରିଛନ୍ତି । ଆଜିଠାରୁ ଦୁଇମାସ ଯାଏଁ ଏହା ବଳବତ୍ତର ରହିବ ।

କିଛି ବାହାର ପର୍ଯ୍ୟଟକ ଓ ଅସାମାଜିକ ଲୋକ ଦେଓମାଳିରେ ରାତ୍ରୀଯାପନ କରିବା ଓ ବିଳମ୍ବିତ ରାତି ଯାଏ ସେଠାରେ ରହି ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା ଉନ୍ନୟନ କାର୍ୟ୍ୟ ଓ ସରକାରୀ ସମ୍ପତ୍ତିର କ୍ଷତି କରୁଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି । ସୋମବାର ମଧ୍ୟରାତ୍ରୀରୁ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏସ୍ପି ଓ କୋରାପୁଟ ଉପଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ଷମ କରିବା ଦାୟିତ୍ୱ ଦିଆଯାଇଛି। ଏହା ଆସନ୍ତା ୬୦ ଦିନ ଯାଏ ବଳବତ୍ତର ରହିବ ବୋଲି ଜଣାପଡ଼ିଛି।

ତେବେ ଏହି ନିର୍ଦ୍ଦେଶ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍, ପୋଲିସ୍ କିମ୍ବା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କ ନିମନ୍ତେ ଦାୟିତ୍ୱ ସମ୍ପାଦନ ସମୟରେ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶ ଅମାନ୍ୟ କରନ୍ତି ତେବେ ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ କରାଯିବାକୁ ଚେତାବନୀ ଦିଆଯାଇଛି।

Tags: #Deomali #Section144 #Korapur #DistrictMagistrate #Tourist #Misuse

Comment