ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ଅପରେସ ଗ୍ରୀନକ୍ଳିନ ଅନ୍ତର୍ଗତ ପ୍ରାୟ ୨୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ମାଛକୁଣ୍ଡ ପୋଲିସ। ବେଆଇନ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗଡ଼ିହଞ୍ଜର ପଞ୍ଚାୟତ ଏନୁଙ୍ଗୁ ଗ୍ରାମରେ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ଚାଷ କରାଯାଇଥିବା ଖବର ପାଇଁ ମାଛକୁଣ୍ଡ ପୋଲିସର ଏକ ଟିମ୍ ସମ୍ପୃକ୍ତ ସ୍ଥାନରେ ପହଞ୍ଚିଥିଲା। ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୨୫ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିଲା।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା  ପାଡ଼ୁଆ ଲମତାପୁଟ ଅଞ୍ଚଳରେ ପ୍ରାୟ ୫୦ ଭାଗ ଗଞ୍ଜେଇ ଚାଷ ବନ୍ଦ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି। ଗତ ବର୍ଷ କୋରାପୁଟ ଜିଲ୍ଲାରେ ୮୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବାବେଳେ ମାଛକୁଣ୍ଡ ଏବଂ ପାଡୁଆ ଅଞ୍ଚଳରେ ୬୦୦ ଏକର ଗଞ୍ଜେଇ ନଷ୍ଟ କରଯାଇଥିଲା। ଚଳିତ ବର୍ଷ ଲୋକଙ୍କୁ ସଚେତନ କରିବା ସହ ଗଞ୍ଜେଇ ଚାଷ ନଷ୍ଟ କରି ଜିଲ୍ଲାକୁ ସମ୍ପୂର୍ଣ ଗଞ୍ଜେଇ ମୁକ୍ତ କରିବା ପାଇଁ ପୋଲିସ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସେ କହିଛନ୍ତି।

Tags: #Koraput #Ganja #Police #OperationGreenclean

Comment