ଶୁଭଶ୍ରୀ ନାୟକ

ଓଡ଼ିଶାର ପାରମ୍ପରିକ ମୃତ୍ତିକା କଳା ଓ କାରିଗରଙ୍କ ଜୀବନକୁ ନେଇ ଓଡ଼ିଶାଲାଇଭର ସ୍ୱତନ୍ତ୍ର ରିପୋର୍ଟ ଦେଖନ୍ତୁ ଭିଡିଓ

ମାଟି। ଆପଣଙ୍କ ପାଇଁ ଖାଲି ମାଟି ହୋଇପାରେ, କିନ୍ତୁ ସେମାନଙ୍କ ପାଇଁ ବଞ୍ଚିବାର ରାହା। ନିଜର ସୃଜନଶୀଳତା ଦେଖାଇବାର ମାଧ୍ୟମ। ଅର୍ଥାତ ଜୀବିକା ଆଉ ସ୍ୱପ୍ନ। ଏହି ମାଟି ସହ ଦିନ ରାତି ଏକ କରି ଓଡ଼ିଶାର ମୃତ୍ତିକା କାରିଗରମାନେ ଆଜି ପାଇଛନ୍ତି ଏକ ନୂଆ ପରିଚୟ। ବିଭିନ୍ନ ଜିଲ୍ଲାର କାରିଗରମାନେ ମାଟିରୁ ବିଭିନ୍ନ ପାରମ୍ପରିକ, ବ୍ୟବହାରିକ ଓ ଆଧୁନିକ ଜିନିଷ ତିଆରି କରୁଛନ୍ତି।

‘‘ଆଗରୁ ଆମେ କେବଳ ଘରୋଇ ବ୍ୟବହାରିକ ଜିନିଷ ତିଆରି କରୁଥିଲୁ। ଏବେ କିନ୍ତୁ ଆମେ ସେ ସବୁ ଜିନିଷ କରିବା ସହ ବିଭିନ୍ନ ଡିଜାଇନିଂ ଜିନିଷ ତିଆରି କରୁଛୁ। ୧୦୦ ଟଙ୍କାରୁ ନେଇ ୫୦୦୦ ଟଙ୍କା ଯାଏଁ ଜିନିଷ ବିକ୍ରି ହେଉଛି। ପରିବାର ଲୋକ ବି ଆମକୁ ଏଥିରେ ବହୁତ ସହଯୋଗ କରୁଛନ୍ତି’’, କହନ୍ତି କେନ୍ଦୁଝର ଜିଲ୍ଲାର ଜଣେ ମହିଳା କାରିଗର ଶକନ୍ତଳା ସାହୁ।

‘‘ଗତ ୨୦ ବର୍ଷ ହେଲା ଆମେ ଏଇ ମାଟି କାମ କରୁଛୁ। ଆମେ ବିଭିନ୍ନ ହାତୀ, ଘୋଡ଼ା ତିଆରି କରୁ। ତା’ ସହ ବିଭିନ୍ନ ପ୍ରକାର ଫୁଲଦାନୀ ତିଆରି କରୁଛୁ। ଏହି ଜିନିଷ ସବୁକୁ ଆମେ ମେଳା ମହୋତ୍ସବରେ ବିକ୍ରି କରୁଛୁ। ଏଥିରୁ ଭଲ ଦି ପଇସା ରୋଜଗାର ହୋଇପାରୁଛି’’, କହନ୍ତି କେନ୍ଦୁଝରର ଆଉ ଜଣେ କାରିଗର ରମେଶ ଚନ୍ଦ୍ର ସାହୁ।

ଓଡ଼ିଶାର ମୃତ୍ତିକା କଳା ମଧ୍ୟ ବେଶ୍‌ ପୁରୁଣା ଓ ନିଆରା, ଯେଉଁଠି ଶିଳ୍ପୀର ହାତର ସ୍ପର୍ଶରେ କଞ୍ଚା ମାଟି ପାଏ ଆକର୍ଷଣୀୟ ରୂପ। କଥା କହେ ପୋଡ଼ା ମାଟିର ପ୍ରତିକୃତି। ଆଗରୁ ଘରେ ଘରେ ବ୍ୟବହାର ହେଉଥିଲା ବିଭିନ୍ନ ପ୍ରକାର ମାଟି ତିଆରି ଜିନିଷ।  ଯଥା ମାଟିହାଣ୍ଡି, କଳସ, ମାଠିଆ, ପଲମ, ସୋରେଇ ଇତ୍ୟାଦି।

କିନ୍ତୁ ବିଭିନ୍ନ ଧାତବ ସାମଗ୍ରୀର ପ୍ରଚଳନ ପରେ ଲୋପ ପାଇବାକୁ ବସିଥିଲା ଏହି ପାରମ୍ପରିକ କଳା। ଏବେ ପୁଣି ଟେରାକୋଟା ଜରିଆରେ ମାଟିରୁ ତଆରି ହେଉଥିବା ନାନାଦି ଘରୋଇ ସାମଗ୍ରୀ ସହ ସୌଖିନ ସାଜସଜ୍ଜା ଉପକରଣ ପାଲଟିଛି ଆକର୍ଷଣ।

ପ୍ରାଚୀନ ସିନ୍ଧୁ ସଭ୍ୟତାରେ ଏହି ଟେରାକୋଟା ବା ପୋଡ଼ାମାଟି କାମର ପ୍ରଚଳନ ଥିଲା। ସେ ସମୟରେ ମାଟିରୁ ତିଆରି ବିଭିନ୍ନ କଣ୍ଢେଇ, ମଣିଷ ପ୍ରତିକୃତି ଏବଂ ମାଟି ପାତ୍ର ବ୍ୟବହାର କରାଯାଉଥିବାର ପ୍ରମାଣ ରହିଛି।

‘‘ଟେରାକୋଟା ଏକ ଲାଟିନ୍‌ ଶବ୍ଦ। ଟେରା-କକ୍‌ଟାରୁ ଟେରାକୋଟାର ଉତ୍ପତ୍ତି। ଟେରାର ଅର୍ଥ ମାଟି କୋଟାର ଅର୍ଥ ନିଆଁ। ସିନ୍ଧୁ ସଭ୍ୟତା ସମୟରୁ ମିଳିଥିବା ବିଭିନ୍ନ ଭଗ୍ନାବଶେଷରୁ ଏହାର ପ୍ରମାଣ ମିଳେ। ତେଣୁ ସେଇ ସମୟରୁ ଟେରାକୋଟାର ଉତ୍ପତି ବୋଲି କୁହାଯାଏ’’, କହନ୍ତି ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନା।

ଓଡ଼ିଶାରେ କୁମ୍ଭାର ପରିବାରର ଲୋକେ ପୋଡ଼ାମାଟିରୁ ଏହି ଟେରାକୋଟା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଏଥିପାଇଁ ନଦୀ କୂଳରୁ ଚିକିଟା ମାଟି ଏବଂ ପଟୁ ମାଟି ସଂଗ୍ରହ କରାଯାଇଥାଏ। ପ୍ରଥମେ ଏହି ମାଟିୁ ହାତରେ ଭଲ ଭାବେ ଗୁଣ୍ଡ କରାଯାଇଥାଏ। ଏହାପରେ ମାଟିକୁ ପାଣିରେ ବତୁରାଯାଇ ନରମ କରାଯାଇଥାଏ। ନରମ ମାଟରୁ ଗୋଡ଼ି ଘାସ ଭଳି ଆବର୍ଜନାକୁ କାଢ଼ି ଦିଆଯାଏ। ଏହା ପରେ ଚକଡ଼ା ମାଟିକୁ ବିଭିନ୍ନ ପ୍ରକାର ଆକୃତି ଦିଆଯାଏ।  ଏହାପରେ ଜିନିଷଗୁଡ଼ିକୁ ହାଲୁକା ଖରାରେ ଶୁଖାଯାଏ। ତା’ପରେ ଜିନିଷଗୁଡ଼ିକୁ ଭାଟିରେ ପୋଡ଼ା ଯାଏ। ଫଳରେ ମାଟି ଜିନିଷଗୁଡ଼ିକ ଅଧିକ ଶକ୍ତ ହୋଇଥାଏ। ଏହାପରେ ଆବଶ୍ୟକ ଅନୁଯାୟୀ ଜିନିଷଗୁଡ଼ିକୁ ବିଭିନ୍ନ  ରଙ୍ଗ ଦିଆଯାଏ।

ଓଡ଼ିଶାର ସୁବର୍ଣ୍ଣପୁର, ବରଗଡ଼, କେନ୍ଦୁଝର, ରାୟଗଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼,  କେନ୍ଦ୍ରପଡ଼ା ଇତ୍ୟାଦି ଅଞ୍ଚଳର କାରିଗରମାନେ ପାରମ୍ପରିକ ସାମଗ୍ରୀ ସହିତ କାରୁକାର୍ଯ୍ୟ ପୂର୍ଣ୍ଣ ଟେରାକୋଟା ସାମଗ୍ରୀ ବହୁଳ ଭାବରେ ପ୍ରସ୍ତୁତ କରିଥାନ୍ତି।

ଏବେ ବଦଳିଛି ମୃତ୍ତିକା ଶିଳ୍ପର ଚିତ୍ର। କୌଳିକ ବୃତ୍ତି ହିସାବରେ କେବଳ କୁମ୍ଭାର ପରିବାରମାନେ ଏହି ମାଟି କାମରେ ଆଉ ସୀମିତ ନାହାନ୍ତି। ମୃତ୍ତିକା କଳା ପ୍ରତି ଆଗ୍ରହ ଦେଖାଉଛନ୍ତି ବିଭିନ୍ନ ବର୍ଗର ଲୋକ। ଏଥିସହ ଯୁବପିଢ଼ିଙ୍କ କ୍ୟାରିୟର ପାଇଁ ନୂଆ ବାଟ ଦେଖାଇଛି ଏହି ଟେରାକୋଟା କଳା। ବରଗଡ଼ର ଜଣେ ଯୁବ କାରିଗର ବିନଲ ଦେଶାଇ କହନ୍ତି, ‘‘ମୋର ମୃତ୍ତିକା କଳା ପ୍ରତି ପିଲାବେଳୁ ଆଗ୍ରହ ଥିଲା। ସେଥିପାଇଁ ମୁଁ ଏନଆଇଏଫ୍‌ଟି ଭୁବନେଶ୍ୱରରେ ଆଡମିଶନ ନେଇଥିଲି। ଏଠାରୁ ମତେ ବହୁତ କିଛି ଡିଜାଇନିଂ ଶିଖିବାକୁ ମିଳିଥିଲା। ସେଠାରୁ ପାସଆଉଟ୍‌ ପରେ ମୁଁ ନିଜେ ମାଟିରୁ ବିଭିନ୍ନ ଜିନିଷ ତିଆରି ବ୍ୟବସାୟ କରୁଛି’’।

କେବଳ ସେତିକି ନୁହେଁ, ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଟେରାକୋଟା କଳା ସହିତ ଯୋଡ଼ାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ହାତ ତିଆରି ବିଭିନ୍ନ ସାମଗ୍ରୀ ସହ ସେମାନେ ମେସିନ ବ୍ୟବହାର କରି ମାଟିରୁ ଆଧୁନିକ ଟେରାକୋଟା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏସଏଚଜିର ମହିଳାମାନଙ୍କ ଆଜି ଏକ ନୂଆ ପରିଚୟ ଦେଇଛି ଓଡ଼ିଶାର ଟେରାକୋଟା। ସେମାନେ ନିୟମିତ ମାଟିରେ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରି ସେଥିରୁ ବେଶ୍‌ ଲାଭବାନ ହୋଇପାରୁଛନ୍ତି।

ଆମ ଓଡ଼ିଶାର ପାରମ୍ପରିକ ହସ୍ତକଳା ଭାବେ ଟେରାକୋଟରା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ମାଟି କାରିଗରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ବର୍ଷ ତମାମ ବିଭିନ୍ନ ଜିଲ୍ଲାରେ ମେଳାର ଆୟୋଜନ କରି ହସ୍ତକଳା ସାମଗ୍ରୀର ବିକ୍ରି ପାଇଁ ଦିଆଯାଉଛି ବଜାର ସୁଯୋଗ।

‘‘ରାଜ୍ୟରେ ପ୍ରାୟ ୧୦ ହଜାର ମୃତ୍ତିକା କାରିଗର ରହିଛନ୍ତି। ସେମାନଙ୍କ ଜୀବିକା ସୁନିଶ୍ଚିତ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ସେମାନଙ୍କ ହାତ ତିଆରି ସାମଗ୍ରୀର ବିକ୍ରି ବଟା ପାଇଁ ମୃତ୍ତିକା ମେଳା ସହ ଅନ୍ୟ ମେଳାର ଆୟୋଜନ ହେଉଛି। ଏଠାରେ ସେମାନଙ୍କ ଲାଗି ଫ୍ରି ଷ୍ଟଲର ବ୍ୟବସ୍ଥା ରହିଛି’’, କହନ୍ତି ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର।

କଳା ଓ କାରିଗରଙ୍କ ରାଜ୍ୟ ହେଉଛି ଓଡ଼ିଶା। ଦିନେ ଯେଉଁ ପାରମ୍ପରିକ ମାଟି କାମର ଚାହିଦା ଲୋପ ପାଇବାକୁ ବସିଥିଲା, ଏବେ ପୁଣି ତାହା ଆକର୍ଷଣୀୟ ରୂପରେ ଲୋକଙ୍କ ପାଖରେ ପହଁଞ୍ଚୁଛି। ଏହାସହ ରାଜ୍ୟର ହଜାର ହଜାର ମାଟି କାରିଗରଙ୍କୁ ରୋଜଗାରର ବାଟ ଦେଖାଇଛି ଟେରାକୋଟା।

Tags: #Teracotta #OdishaTeracotta #ମୃତ୍ତିକାକଳା #ଟେରାକୋଟା

Comment