ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଅକଲ୍ୟାଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତ ୭ ୱିକେଟ ବିନିମୟରେ ୩୦୬ ରନ୍ କରିଥିଲା। ଏହି ଟାର୍ଗେଟକୁ ନ୍ୟୁଜିଲାଣ୍ଡ ୩ ୱିକେଟ ବିନିମୟରେ ହାସଲ କରିନେଇଛି।

ଏହି ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମେ ଅଧିନାୟକ ଶିଖର ଧବନ ଓ ଶୁଭମନ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ। ଶିଖର ଧବନ ୭୭ ବଲରୁ ୭୨ ରନ୍ ଓ ଶୁଭମନ ଗିଲ ୬୫ବଲରୁ ୫୦ରନ୍ କରିଥିବା ବେଳେ ଶ୍ରେୟସ ଆୟର ୭୬ ବଲରୁ ୮୦ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୩୬ ରନ୍ ଓ ୱାସିଂଟନ୍ ସୁନ୍ଦର ଅପରାଜିତ ୩୭ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି ଓ ଲୋକି ଫର୍ଗୁସନ ୩ଟି ଲେଖାଏଁ  ୱିକେଟ ନେଇଥିଲେ। ପ୍ରଥମରୁ ଭଲ ବ୍ୟାଟିଂ କରିଥିବା ଭାରତ ନ୍ୟୁଜିଲାଣ୍ଡ ଆଗରେ ୩୦୭ ରନର ବିଜୟ ଲକ୍ଷ୍ୟ ରଖିଥିଲା।

ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ପକ୍ଷରୁ ବିଜୟଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଫିନ ଆଲେନ ଓ ଦେଭୋନ କନୱେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ଆରମ୍ଭରୁ ବିପର୍ଜୟର ସାମନା କରିଥିଲେ। ପ୍ରଥମେ ଫିନ ଆଲେନଙ୍କୁ ଶାରଦୁଲ ଠାକୁର ୨୨ ରନରେ ଆଉଟ କରିଥିଲେ। ଏହାପରେ ଅଧିନାୟକ କେନ ୱିଲିୟମସନ ସ୍ଥିତିକୁ ସମ୍ଭାଳି ଥିଲେ। କାନୱେ ଓ ଡ୍ୟରିଲ ମିଚେଲ୍ ଆଉଟ ହେବା ପରେ ଆସିଥିବା ଟମ ଲେଥମ ଅପରାଜିତ ରହି ଭାରତ ପାଖରୁ ଏହି ମ୍ୟାଚ ଛଡାଇନେଇଥିଲେ।

ମ୍ୟାଚ୍ ଶେଷ ବେଳକୁ ଟମ ଲେଥମ ୧୪୫ ରନ କରିଥିବା ବେଳେ କେନ ୱିଲିୟମସନ ୯୪ ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଉମରାନ ମଲିକ ୨ ଟି ୱିକେଟ ନେଇଥିବା ବେଳେ ଶାରଦୁଲ ଠାକୁର ଗୋଟିଏ ୱିକେଟ୍ ନେଇଥିଲେ।

ଭାରତର ବୋଲେରମାନେ ଏହି ମ୍ୟାଚରେ କିଛି ଖାସ କରିପାରିନଥିଲେ । ନ୍ୟୁଜିଲାଣ୍ଡ ୧୭ଟି ବଲ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ପାଇଁ ଟମ ଲେଥମ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ସିରିଜର ପରବର୍ତ୍ତୀ ମ୍ୟାଚ  ରବିବାର ଦିନ ହାମିଲଟନରେ ଖେଳାଯିବ।

Tags: #India-NewZealandseries #Cricket #ODI #BCCI #India #NewZealand #Sports

Comment