ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଷାକ, ବୟନଶିଳ୍ପ, ସ୍କ୍ରାଫିଂ, ପର୍ଯ୍ୟଟନ ଆଦି କ୍ଷେତ୍ର ପାଇଁ ନୂତନ ନୀତି ସହିତ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ କ୍ୟାବିନେଟ୍ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

ଓଡ଼ିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି। ଏହି ନୀତି ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆନୁସଂଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ। ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ରଖାଯାଇଛି।

ଓଡ଼ିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମାବଳୀ-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ସେବାର ମୂଳ ପଦବୀ ଆସିଷ୍ଟାଣ୍ଟ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ଵାରା କରାଯିବ।

ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଟିକସମୁକ୍ତ କରିବା ପାଇଁ ପୂର୍ବ ନିଷ୍ପତ୍ତି କ୍ୟାବିନେଟ ଦ୍ଵାରା ଅନୁମୋଦନ ଲାଭ କରିଛି। ନୂତନ ପର୍ଯ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପୋତ୍ସାହିତ କରାଯିବା ସହିତ ସ୍ଵାସ୍ଥ୍ୟ ଓ ମେଡିକାଲ ଟୁରିଜିମ୍କୁ ପର୍ଯ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ଦେବା ପାଇଁ ବ୍ୟବସ୍ଥା ରହିଛି।

ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଥିବା ଶାରୀରିକ ମାନକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ଵିତ ନିଯୁକ୍ତି ପ୍ରକ୍ରିୟାର ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି। ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିଅର କ୍ଳର୍କ-କମ୍-ଟାଇପିଷ୍ଟ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି। ଏହାଦ୍ଵାରା ଏହି ପରୀକ୍ଷା ଗୁଡ଼ିକ ସୁବ୍ୟବସ୍ଥିତ ହେବା ସହିତ ପରୀକ୍ଷାର୍ଥୀ ଓ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ।

ସେହିପରି ଅମଳ ପରବର୍ତ୍ତୀ କ୍ଷତି ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକ ମାନଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନାଟି କ୍ୟାବିନେଟର ଅନୁମୋଦନ ଲାଭ କରିଛି ।

ଓଡ଼ିଶାରେ ସଂଯୋଜନ କ୍ଷେତ୍ରର ବିକାଶ ପାଇଁ ଓଡିଶା ଲଜିଷ୍ଟିକ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହା ବାଣିଜ୍ୟ ଓ ବାଣିଜ୍ୟ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ସୁଦୃଢ କରିବ ଏବଂ ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରିବ।

ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଯାନବାହନ ଜନିତ ବାୟୁ ପ୍ରଦୁଷଣ କମ୍ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାଦ୍ବାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡିବ। ଓଡିଶା ଅକ୍ଷୟ ଶକ୍ତି ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଶିଳ୍ପ ନୀତି-୨୦୨୨କୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ରାଜ୍ୟରେ ବଡ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବା ଉପରେ ଏଥିରେ ଗୁରୁତ୍ବ ଆରୋପ କରାଯାଇଛି ।

ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଓଡିଶା ରପ୍ତାନୀ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ନୀତି ଅନୁଯାୟୀ ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା । ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା ଆଇନ-୨୦୧୩ର ଧାରା-୨ର ଉପଧାରା-୨, ଧାରା-୧୪, ୧୯, ୨୪, ୨୫, ୪୬ ଓ ୮୭ର ସଂଶୋଧନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ।

Tags: #CabinetMeeting #17Proposal #12Department #Approval #Odisha #CMO #NaveenPatnaik

Comment