ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ନିକଟରେ ଏକ କାର୍ ଦୁର୍ଘଟଣା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ନବରଙ୍ଗପୁର ସହର ଗାଦୁଆଗୁଡ଼ାର ଏମଡି ସଦାମ, ରବୀନ ହିଆଲ ଏବଂ ସବନ ହିଆଲ ଘଟଣା ସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ବ୍ୟକ୍ତିଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ୫ ଜଣ ନବରଙ୍ଗପୁରଠାରୁ ଉମରକୋଟ ଅଭିମୁଖେ ଆସୁଥିଲେ। ଏହି ସମୟରେ କାରଟି ଭାରସାମ୍ୟ ହରାଇ ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁନା ନିକଟରେ ଏକ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ଜୀବନ ଚାଲିଯାଇଥିଲା। ସ୍ଥାନୀୟ ଲୋକେ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଡକ୍ତର ସୂଚନା ଦେଇଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Accident #Nabarangpur #CarAccident #Death

Comment