ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ମାଓବାଦୀମାନେ ପି.ଏଲ.ଜି.ଏ ସପ୍ତାହ ପାଳନ କରିଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି ଜିଲ୍ଲା ପ୍ରଶାସନ। ଛତିଶଗଡ-ଆନ୍ଧ୍ରପ୍ରଦେଶ-ଓଡ଼ିଶାର ସୁରକ୍ଷାକର୍ମୀମାନେ ମାଓବାଦୀ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ସୁରକ୍ଷା ବାହୀନି ତରଫରୁ କମ୍ବିଂ ଅପରେସନକୁ ସକ୍ରିୟ କରାଯାଇଥିବା ବେଳେ ସର୍ଚ୍ଚ ଅପରେସନକୁ ବ୍ୟାପକ କରାଯାଉଛି।

ସପ୍ତାହ ବ୍ୟାପି ମାଓବାଦୀ ସଂଙ୍ଗଠନ ପି.ଏଲ.ଜି.ଏ ପାଳନ କରୁଛି। ମାଓବାଦୀଙ୍କ ପକ୍ଷରୁ ଉପାନ୍ତ ଗ୍ରାମରେ ସଭା ସମିତି, ମାଓବାଦୀ ସଂଗଠନର କାଯ୍ୟ, ଆଦର୍ଶ ସମ୍ପର୍କରେ ଯୁବ ଗୋଷ୍ଠୀକୁ ଜଣାଇ ମାଓବାଦୀ ସଂଗଠନରେ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥାଏ। ବିଶେଷ କରି ଯୁବଗୋଷ୍ଠୀକୁ ମାଓ ସଂଗଠନରେ ସାମିଲ କରିବା ଏହା ପ୍ରମୁଖ୍ୟ ଉଦ୍ଦେଶ୍ୟ।

ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ମାଓବାଦୀଙ୍କର ପି.ଏଲ.ଜି.ଏ ସପ୍ତାହରେ ପାଇଁ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରହିବ। ଏହି ସପ୍ତାହରେ ମାଓବାଦୀମାନେ ଯେପରି କିଛି କାଣ୍ଡ ନଘଟାନ୍ତି ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ବସ ଚଳାଚଳ ଉପରେ ରୋକ ଲଗାଇଛନ୍ତି।

ଜୟପୁର-ମାଲକାନଗିରି ବସ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅବିଭକ୍ତ କୋରପୁଟ ଜିଲାରେ ୩୫ରୁ ଅଧିକ ସରକାରୀ ବସ୍‌ର ସୁରକ୍ଷା ପାଇଁ ଚଳାଚଳ ବନ୍ଦ ରଖାଯାଇଛି। ଜୟପୁର ଜୋନର ପାଖାପାଖି ୧୪ଟି ରୁଟରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ମାଲକାନଗିରି ଜିଲା ରୁଟ୍‌ରେ ୨୦ଟି ସରକାରୀ ବସ୍ ବନ୍ଦ ରଖାଯାଇଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣି ରୁଟ୍‌ରେ ୪ଟି ବସ୍ ବନ୍ଦ କରାଯାଇଛି। କୋଟିଆ ରୁଟ୍‌ରେ ଯାଉଥିବା ୮ଟି ବସ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ମାଲକାନଗିରି  ଜିଲ୍ଲା ମୋଟୁଠାରୁ ବିଶାଖାପାଟଣା ଯାଉଥିବା ୬ଟି ବସ ବନ୍ଦ କରାଯାଇଛି। ବ୍ରହ୍ମପୁର, ଭୁବନେଶ୍ୱରଠାରୁ କୋରାପୁଟ- ମାଲକାନଗିରି ପାଇଁ ଆସୁଥିବା ୧୫ଟି ବସ, ଭବନାପାଟଣାରୁ-ମୋଟୁ ଦୁଇଟି ବସ ବନ୍ଦ ରହିଛି । ଇନ୍ଦ୍ରାବତୀ- ଚିତ୍ରକୋଣ୍ଡା ରୁଟ୍‌ର ୨ଟି, କାଶିପୁର ଭାୟା ଦଶମନ୍ତପୁର ରୁଟ୍‌ରେ ୨ଟି, ଭବାନୀପାଟଣା- ମାଲକାନଗିରି, ନିଳାଦ୍ରିନଗର, ଫୁଲବାଣି ରୁଟ୍‌ରେ ଭଳି ପାଖାପାଖି ୪୦ ରୁ ଅଧିକ ସରକାରୀ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ବସ ଚଳାଚଳ ଆସନ୍ତା ୮ ତାରିଖ ପଯ୍ୟନ୍ତ ବନ୍ଦ ରହିବ।

ଜିଲ୍ଲା ପୋଲିସ ତରଫରୁ ସୀମାନ୍ତ ଅଞ୍ଚଳକୁ ସିଲ୍ କରିବା ସହ କମ୍ବିଂ ଅପରେସନ୍ ଜୋରଦାର କରାଯାଇ।  ଜିଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି। ମାଓବାଦୀଙ୍କ ସପ୍ତାହ ନେଇ ଅବିଭକ୍ତ କୋରାପୁଟ ଜିଲା ବାସୀ ଆତଙ୍କିତ ହୋଇପଡ଼ିଥିବାରୁ  ଜିଲ୍ଲା ପୋଲିସ ତରଫରୁ ଭୟଭିତ ହେବାର କିଛି ନାହିଁ ବୋଲି  ଆଶ୍ୱାସନା ଦିଆଯାଇଛି।

ଅନ୍ୟପଟେ ପି.ଏଲ.ଜି.ଏ ସପ୍ତାହକୁ ସଫଳ କରିବା ଲାଗି ମାଓବାଦୀ ମାନେ କୋରାପୁଟ, ମାଲକାନଗିରି ଓ ରାୟଗଡ଼ୀ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଥିବା ଜଣାଯାଇଛି । ଏହି ସପ୍ତାହ ପାଳନ ସମୟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟିର ନେତାମାନେ ଅଞ୍ଚଳ ଗସ୍ତ କରି ସଂଗଠନକୁ ଅଧିକ ଶକ୍ତିଶାଳୀ କରାଯିବା, ପୋଲିସ ତଥା ସୁରକ୍ଷାବଳଙ୍କ ମଧ୍ୟରେ ଅଧିକରୁ ଅଧିକ ଭୟ ସୃଷ୍ଟି କରାଇବା ତଥା ଯେଉଁ ଅଞ୍ଚଳରେ ସଂଗଠନ ଦୁର୍ବଳ ଅଛି ସେଠି ସ୍ଥୀନୀୟ ଲୋକଙ୍କୁ କିଭଳି ଅକ୍ତିଆର କରାଯିବ ସେ ନେଇ କ୍ୟାଡରଙ୍କୁ ଅବଗତ କରାଇଥାନ୍ତି। ଗତ ୨୦୦୦ ମସିହାଠାରୁ ମାଓବାଦୀ ସଂଗଠନମାନେ ପି.ଏଲ.ଜି.ଏ (People’s Liberation Guerrilla Army) ସପ୍ତାହ ପାଳନ କରି ଆସୁଛନ୍ତି।

Tags: #PLGAWeek #MaoistOrganisation #Koraput #Malkangiri #HighAlert #HighSecurity #Bus #DistrictPolice

Comment