ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍ ସ୍କୁଲ ବୁଥରେ ସେ ଭୋଟ୍ ଦେଇଛନ୍ତି।

ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ବୁଥରେ ପହଞ୍ଚିଥିଲେ। ଭୋଟରଙ୍କ ସହିତ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ସାବରମତି ବିଧାନସଭା କ୍ଷେତ୍ରରେ ନିଶାନ ପବ୍ଲିକ୍ ସ୍କୁଲରେ ହୋଇଥିବା ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ମୋଦି।

ସେହିପରି ଭୋଟ୍ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ଅହମ୍ମଦାବାଦ ବିଧାନସଭା କ୍ଷେତ୍ରର ବୁଥ ନଂ-୯୫ ଶିଲଜା ଅନୁପମ ସ୍କୁଲରେ  ନିଜର ମତ ସାବ୍ୟସ୍ତ କରିଛନ୍ତି। ଗୃହମନ୍ତ୍ରୀ ଅମିତଶାହା ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି।

ଗୁଜରାଟରେ ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ମୋଟ୍ ୯୩ଟି ସିଟ୍ ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର। ୧୪ଟି ଜିଲ୍ଲାରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ଅନ୍ୟପଟେ ଅହମ୍ମଦାବାଦର ସମସ୍ତ ୧୬ଟି ଆସନ ବିଜେପି ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ। ୧୯୯୦ ପରେ ବିଜେପି ଏଠାରେ ନିଜର ଦବଦବା ଜାରି ରଖିଛି।

Tags: #GujuratAssemblyElection #NarendraModi #Gujurat #BhupendraPatel #AmitShah #Voting #Ahmadabad

Comment