ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍)କୁ ମିଳିଲା ବହୁମତ। ୨୫୦ଟି ଆସନରୁ ଆପକୁ ସର୍ବାଧିକ ୧୩୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୪, କଂଗ୍ରେସ  ୯ ଓ ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ୱାର୍ଡରେ ବିଜୟୀ ହୋଇଛନ୍ତି।

ଆପ ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଶକୁର ବସ୍ତି ଅଞ୍ଚଳରେ ବିଜେପି ପ୍ରାର୍ଥୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନିର୍ବାଚନ ମଣ୍ଡଳିର ୪ଟି ୱାର୍ଡରୁ ବିଜେପି ୩ଟିରେ ବିଜୟୀ ହୋଇଥିବା ବେଳେ ଆପକୁ ଗୋଟିଏ ଆସନ ମିଳିଛି। ବିଜେପି ପ୍ରଦେଶ ସଭାପତି ଆଦେଶ ଗୁପ୍ତାଙ୍କ ଅଞ୍ଚଳରେ ବିଜେପିକୁ ଗୋଟିଏ ବି ଆସନ ମିଳି ନାହିଁ।

ବିଜେପି ସାଂସଦ ରମେଶ ବିଧୁଡିଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିକୁ ୧୩ଟି ୱାର୍ଡ ମିଳିଥିବାବେଳେ ଆପକୁ ୨୩ଟି ୱାର୍ଡ ମିଳିଛି। ପ୍ରବେଶ ବର୍ମାଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିକୁ ୧୪ଟି ୱାର୍ଡରେ ବିପୁଳ ଜନମତ ମିଳିଥିବା ବେଳେ ୨୪ ୱାର୍ଡ ଆପ ହାତେଇ ନେଇଛି।

ସେହିପରି ବିଜେପି ସାଂସଦ ହଂସରାଜ ହଂସଙ୍କ ଲୋକସଭା କ୍ଷେତ୍ରର ୧୪ଟି ୱାର୍ଡ ବିଜେପିକୁ ମିଳିଥିବା ବେଳେ ଆପ୍ ୨୬ଟି ସିଟ୍ ହାତେଇଛି। ତେବେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ନିର୍ବାଚନମଣ୍ଡଳୀରେ ବିଜେପିକୁ ବେଶ୍ ସଫଳତା ମିଳିଛି। ଏଠାରେ ବିଜେପିକୁ ୨୨ଟି ଆସନ ମିଳିଥିବା ବେଳେ ଆପ ୧୧ଟି ମିଳିଛି। ସେହିପରି ମନୋଜ ତିୱାରୀଙ୍କ ଲୋକସଭା କ୍ଷେତ୍ରରେ ବିଜେପିକୁ ୧୮ଟି ଆସନ ମିଳିଥିବା ବେଳେ ୧୭ଟିରେ ଆପ୍ ପ୍ରାର୍ଥୀମାନେ ହାତେଇ ନେଇଛନ୍ତି। ମିନାକ୍ଷୀ ଲେଖିଙ୍କ ନିର୍ବାଚନମଣ୍ଡଳୀରେ ବିଜେପିକୁ ୫ଟି ୱାର୍ଡ ମିଳିଛି ଏବଂ ଆପ ୨୦ଟି ୱାର୍ଡ ହାତେଇ ନେଇଛି।   

ଏମସିଡିର ୨୫୦ ଆସନରେ ୪ ଡିସେମ୍ବର ରବିବାର ଭୋଟ ଗ୍ରହଣ ହୋଇଥିଲା। ଚଳିତ ନିର୍ବାଚନରେ ୨୫୦ ୱାର୍ଡରେ ୧୩୪୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଗତ ୧୫ ବର୍ଷ ହେଲା ଦିଲ୍ଲୀ ଏମସିଡିକୁ ବିଜେପି ନିଜ ନିୟନ୍ତ୍ରଣରେ ରଖିଥିଲା। ତେବେ ବୁଧବାର ଭୋଟ ଗଣନା ପରେ ଆସୁଥିବା ରିପୋର୍ଟରୁ  ଆମ ଆଦମୀ ପାର୍ଟିକୁ ସର୍ବାଧିକ ୧୩୪ଟି  ଆସନ ମିଳିଥିବା ବେଳେ ଏବେ ଏମସିଡିରେ ଆପ୍‌ ଦଳର ମେୟର ହେବେ।

ଦିଲ୍ଲୀ ଏମସିଡି ନିର୍ବାଚନର ଭୋଟ ଗଣନା ପାଇଁ ନିର୍ବାଚନ ଆୟୋଗ ମୋଟ ୪୨ଟି ଭୋଟ ଗଣନା କେନ୍ଦ୍ର ସ୍ଥାପନା କରିଥିଲେ। ଭୋଟ ଗଣନା ଲାଗି ୬୮ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ମୁତୟନ ହୋଇଥିବା ବେଳେ ରିଟର୍ଣ୍ଣିଂ ଅଫିସରମାନଙ୍କ ଦ୍ୱାରା ପ୍ରାର୍ଥୀ ଅଥବା ସେମାନଙ୍କ ପ୍ରତିନିଧିଙ୍କ ଆଗରେ ଭୋଟ ଗଣନା କରାଯାଇଥିଲା।

Tags: #DelhiMCDElection2022 #AAPWins #BJP #MunicipalCorporationofDelhi #ArvindKejriwal

Comment