ଓଡ଼ିଶାଲାଇଭ୍ ବ୍ୟୁରୋ

ରାଗିଂ ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି। ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ ସମ୍ପୃକ୍ତ ସ୍କୁଲର ଅଧ୍ୟକ୍ଷ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ନଭେମ୍ବର ୧୯ ତାରିଖରେ ରାଗିଂ ନେଇ ଅଭିଯୋଗ ହୋଇଥିଲା।

ଏହି ଛାତ୍ରମାନେ କ୍ୟାମ୍ପସ ମଧ୍ୟକୁ ଆସିଲେ ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଜଣେ ଛାତ୍ରୀଙ୍କୁ ରାଗିଂ କରିବା ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ୭ ଜଣ ଛାତ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିଛନ୍ତି। 

କିଛିଦିନ ପୂର୍ବରୁ କେନ୍ଦୁଝର ସ୍ଥିତ ଓଡ଼ିଶା ସ୍କୁଲ ଅଫ୍ ମାଇନିଂର ୮୨ ଜଣ ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗରେ ୮୨ ହଜାର ଟଙ୍କା ଜରିମାନା କରାଯାଇଥିଲା। ସମ୍ପୃକ୍ତ ଛାତ୍ରମାନଙ୍କୁ ସ୍କୁଲ ଲାଇବ୍ରେରିରୁ ବହି ଦିଆଯିବ ନାହିଁ ବୋଲି ମଧ୍ୟ କୁହାଯାଇଛି। ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିବା ନେଇ ଅଭିଯୋଗ ହେବା ପରେ ସ୍କୁଲ ଅଧ୍ୟକ୍ଷଙ୍କ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିଲା।

Tags: #Ragging #AntiRagging #College #Student #Suspent #KhalikoteCollege

Comment