ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ରାଜ୍ୟର କାଙ୍କେରକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ରାଇଘରର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ, ଶଳା ବିଶ୍ଵଜିତ ଏବଂ ପଡ଼ୋଶୀ ହାଜାରିଙ୍କର ମୃତ ଦେହ ସୋମବାର ଦିନ ଠାବ କରିଛି ପୋଲିସ୍। ଶନିବାର ଦିନଠାରୁ ମୃତକମାନଙ୍କର କୌଣସି ଖୋଜଖବର ମିଳୁନଥିବାରୁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲର ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ, ଶଳା ବିଶ୍ଵଜିତ ଏବଂ ପଡ଼ୋଶୀ ହାଜାରି ଏକ ବିବାହ ଉତ୍ସବରେ ଯୋଗ ଦେବା ଲାଗି ଛତିଶଗଡ଼ର କାଙ୍କେରକୁ ଯାଇଥିଲେ। ସେଠାରୁ କାମ ସରିବା ପରେ ନିଜ ଘରକୁ କାର ଯୋଗେ ଫେରୁଥିଲେ। ଶନିବାର ରାତି ପର୍ଯ୍ୟନ୍ତ ଘରେ କେହି ନପହଞ୍ଚିବାରୁ ସପନ ସରକାରଙ୍କୁ ପୁଅ ଫୋନ କରିଥିଲେ, କିନ୍ତୁ ଫୋନ ବନ୍ଦ ରହିଥିଲା।

ସମସ୍ତ ୪ ଜଣଙ୍କର କୌଣସି ଖୋଜ ଖବର ନମିଳିବାରୁ ସେମାନଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରି ସପନ ସରକାରଙ୍କ ପୁଅ ରବିବାର ଦିନ କାଙ୍କେରି ପହଞ୍ଚି ସେଠାକାର ଥାନାରେ ଏତଲା ଦେଇଥିଲେ। ଏହା ପୂର୍ବରୁ ସେ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ। ଉଭୟ ଉମରକୋଟ ଏବଂ ଛତିଶଗଡ଼ ପୋଲିସ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା।

ସୋମବାର ସକାଳେ ନବରଙ୍ଗପୁରଠାରୁ କିଛି ଦୂର ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ସପନ ସରକାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯାଇଥିବା ସନ୍ଦେହ କରାଯାଇଥିଲା। ସ୍ଥାନୀୟ ଲୋକେ ସମ୍ପୃକ୍ତ କୂଅ ନିକଟରୁ ବ୍ୟାଗ ଏବଂ କିଛି ପୋଷାକ ପାଇବା ପରେ କୂଅରେ କାରଟିଏ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ। ପରେ କାରଟିକୁ କୂଅ ଭିତରକୁ ଅଣାଯାଇଥିଲା। କାର ମଧ୍ୟରୁ ୪ଟି ମୃତ ଦେହ ମିଳିଥିବା ପୋଲିସ୍ କହିଛି।

Tags: #Nabarangpur #Accident #Death #RoadAccident

LEAVE A REPLY

Please enter your comment!
Please enter your name here