ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାରବାଟୀ ଗ୍ରାଉଣ୍ଡରେ ହେଲା କଡ଼ା ଟକ୍କର
  • ବାଂଲାଦେଶକୁ ୭ ଓ୍ଵିକେଟରେ ହରାଇଲା ଭାରତ
  • ଟିମ୍ ଇଣ୍ଡିଆରେ ଓଡ଼ିଆ ପୁଅ ନକୁଳ ବଡ଼ନାୟକ

ଦୃଷ୍ଟିହୀନ ଟି-୨୦ ବିଶ୍ଵକପ୍‌ରେ ବାଂଲାଦେଶକୁ ୭ ଓ୍ଵିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଭାରତ। କଟକ ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଦିନ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଧୂଆଁଧାର ବ୍ୟାଟିଂ ଆଗରେ ଚିତ୍ ହୋଇପଡ଼ିଥିଲା ବାଂଲାଦେଶ ଟିମ୍।

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ବାଛି କରିଥିଲା ଭାରତ। ମ୍ୟାଚ୍‌ର ପ୍ରଥମ ୩ ଓଭରରେ ଇଣ୍ଡିଆ ଟିମ୍‌ରେ ଖେଳୁଥିବା ଓଡ଼ିଶାର ଅଲରାଉଣ୍ଡର ନକୁଳ ବଡ଼ନାୟକ ଦେଇଥିଲେ ପ୍ରଥମ ଓ୍ଵିକେଟ୍। ଇଣ୍ଡିଆନ୍ ବୋଲରମାନଙ୍କ ଚମତ୍କାର ବୋଲିଂ ଆଗରେ ଲମ୍ବା ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ବାଂଲାଦେଶ। ୨୦ ଓଭର୍‌ର ଖେଳରେ ବାଂଲାଦେଶ ୪ଟି ଓ୍ଵିକେଟ୍ ହରାଇ ମୋଟ୍ ୧୬୬ ରନ୍ ସ୍କୋର କରିଥିଲା। ଭାରତ ଆଗରେ ଥିଲା ୧୬୭ ରନ୍‌ର ଟାର୍ଗେଟ।ଦ୍ଵିତୀୟ ଇଂନିସରେ ଭାରତୀୟ ଓପନର୍ ଟି ଦୁର୍ଗା ରାଓ ଏବଂ ନକୁଳ ବଡ଼ନାୟକ ଯୋଡ଼ି ୮.୩ ଓଭର୍‌ରେ ୯୫ ରନ୍‌ର ଏକ ଲମ୍ବା ପାରି ଖେଳିଥିଲେ। ଏହି ସମୟରେ ନକୁଳ ୨୪ ବଲ୍‌ରେ ୩୬ ରନ୍ କରି ଓ୍ଵିକେଟ୍ ହରାଇଥିଲେ। ହେଲେ ଟି ଦୁର୍ଗା ରାଓ ଗ୍ରାଉଣ୍ଡ ଉପରେ ତିଷ୍ଠି ରହି ବାଂଲାଦେଶ ବୋଲରମାନଙ୍କ ପ୍ରାୟ ବଲ୍‌ରେ ଚୌକା, ଛକାର ବର୍ଷଣ କରିଥିଲେ। ୭୩ ରନ୍‌ର ଲମ୍ଵା ପାରି ଖେଳିବା ପରେ ଟି ଦୁର୍ଗାଙ୍କୁ ପାଭିଲିୟନକୁ ପଠାଇବାରେ ସକ୍ଷମ ହୋଇଥିଲା ବାଂଲାଦେଶ।ଏହାପରେ ଅଧିନାୟକ ଅଜୟ କୁମାର ରେଡ୍ଡୀ ଓ ସୁନିଲ ରମେଶଙ୍କ ମ୍ୟାଚ୍‌କୁ ଆଗକୁ ନେଇଥିଲେ। ଏ ଦୁହିଁଙ୍କ ବ୍ୟାଟ୍‌ରୁ ମଧ୍ୟ ଲଗାତାର ବାଉଣ୍ଡ୍ରି ସଟ୍ ହେବା ଫଳରେ ମାତ୍ର ୧୩.୧ ଓଭର୍‌ରେ ବିଜୟଲାଭ କରିଥିଲା ଭାରତ। ଦୃଷ୍ଟିହୀନ ଟି-୨୦ ବିଶ୍ଵକପ୍‌ର ଏହି ଲିଗ୍ ମ୍ୟାଚ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ଟି ଦୁର୍ଗା ରାଓ।

ଡିସେମ୍ଵର ୬ରୁ ଆରମ୍ଭ ହୋଇଛି ତୃତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ବିଶ୍ଵକପ୍‌। ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦେଶ ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଅଂଶଗ୍ରହଣ କରିଛନ୍ତି। ଭାରତ ଏହି ବିଶ୍ଵକପ୍‌କୁ ହୋଷ୍ଟ କରୁଥିବା ବେଳେ ଦେଶର ବିଭିନ୍ନ ସହରରେ ମ୍ୟାଚ୍ ସବୁ ଖେଳାଯାଉଛି। ଡିସେମ୍ଵର ୧୭ ତାରିଖରେ ଦିଲ୍ଲୀରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

Tags: #T20WCforBlind #CABI #Cricket #CricketforBlind #OdishaCricketAssociation #NakulaBadanayak #ଟି-୨୦କ୍ରିକେଟବିଶ୍ଵକପ୍‌ #କ୍ରିକେଟ୍

Comment