ଓଡ଼ିଶାଲାଇଭ୍ ବ୍ୟୁରୋ

ବାପା ମା’ଙ୍କ ଆଖି ଆଗରେ ଚାହୁଁ ଚାହୁଁ ଚାଲିଯାଛି କଅଁଳ ଶିଶୁର ଜୀବନ। ଜନ୍ମ ହେବାର ଦୁଇ ତିନି ଦିନ ମଧ୍ୟରେ ଶୂନ୍ୟ ହୋଇଯାଉଛି ମା’ର କୋଳ। ମାତ୍ର ୧୬ ଦିନରେ ପ୍ରାଣ ହରାଇ ସାରିଲେଣି ୧୦ ଜଣ ନବଜାତ ଶିଶୁ। ଏହିଭଳି ଦୁଃଖଦ ଘଟଣା ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରୁ।

ବୋରିଗୁମ୍ମା ବ୍ଲକରେ ଦୁଇ ସପ୍ତାହ ମଧ୍ୟରେ ପ୍ରାଣ ହରାଇଲେଣି ୧୦ ଜଣ ନବଜାତ ଶିଶୁ। ଜନ୍ମ ହେବାର ଦୁଇ ତିନି ଦିନ ମଧ୍ୟ ଶିଶୁମାନଙ୍କର ମୃତ୍ୟୁ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ଏହାର କାରଣ ପାଉନଥିବାବେଳେ ଶୁକ୍ରବାର ଦିନ ଆଉ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ପଟି ଗାଁର ବୋଲି ଜଣାପଡ଼ିଛି।

ତଦନ୍ତ ପାଇଁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଡାକ୍ତରୀ ଦଳ ଶିଶୁ ମୃତ୍ୟୁ ହୋଇଥିବା ଗାଁଗୁଡ଼ିକରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ଏହି ଦଳରେ ରହିଛନ୍ତି ଏପିଡେମିଓ ଲୋଜିଷ୍ଟ ସୁନିତା ଜେନା, ସିଡିଏମଓ ଦାୟିତ୍ୱରେ ଥିବା ଡାକ୍ତର ପ୍ରଶାନ୍ତ କୁମାର ସାମଲ, ଡିଏଚଏଚର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ପାତ୍ର ପ୍ରମୁଖ। ନବଜାତ ଶିଶୁ ମୃତ୍ୟୁ ସମ୍ପର୍କରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ହରପ୍ରସାଦ ପାଣିଗ୍ରାହୀଙ୍କ ସହ ଆଲୋଚନା କରାଯିବା ପରେ ଡାକ୍ତର ଟିମ୍ ଗାଁ ଗାଁ ଯାଇ ଏବେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଡିସେମ୍ବର ୨ରେ ପ୍ରଥମ ନବଜାତ ଶିଶୁର ମୃତ୍ୟୁ

ବୋରିଗୁମା ବ୍ଲକରେ ଗୋଟିଏ ପରେ ଗୋଟିଏ ନବଜାତ ଶିଶୁଙ୍କର ମୃତ୍ୟୁକୁ ନେଇ ଲୋକେ ଏକ ପ୍ରକାର ଆତଙ୍କିତ ହୋଇପଡ଼ିଛନ୍ତି। ଯେଉଁମାନେ ନିଜ ନବଜାତ ସନ୍ତାନକୁ ହରାଇଛନ୍ତି ସେମାନଙ୍କ ଦୁଃଖ ଅସହ୍ୟ ହୋଇପଡ଼ିଥିବାବେଳେ ଏହି ଅଞ୍ଚଳରେ ଗର୍ଭବତୀ ଥିବା ମହିଳାମାନେ ଚିନ୍ତାରେ ରହିଛନ୍ତି।

ଡିସେମ୍ବର ୨ ତାରିଖରେ ବୋରିଗୁମ୍ମା ବ୍ଲକ ନୂଆଗୁଡ଼ାର ୩ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ବଙ୍କା ସାହି, ସଶାହାଣ୍ଡି, ବାଲିଗୁଡ଼ା, ଅଞ୍ଚଳା ଏବଂ ପଟିଗାଁରେ ଏହି ନବଜାତ ଶିଶୁ ମୃତ୍ୟୁ ଘଟିଛି। ଗାଁ ଗାଁ ବୁଲି ମୃତ ଶିଶୁ ଏବଂ ଗ୍ରାମବାସୀଙ୍କଠାରୁ ଡାକ୍ତରୀ ଦଳ ତଥ୍ୟ ସଂଗ୍ରହ କରୁଛନ୍ତି।

ଏହି ଟିମ୍ ଗ୍ରାମର ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଶିଶୁ ଜନ୍ମର ଏକ ମାସ ପର୍ଯ୍ୟନ୍ତ ଅଧିକ ଯତ୍ନ ନେବାର ଆବଶ୍ୟକତା ଥିବା କହିଛନ୍ତି। ତୁରନ୍ତ ନବଜାତ ଶିଶୁ ମୃତ୍ୟୁର କାରଣ ଖୋଜି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଡିଏମଓ ଦାୟିତ୍ୱରେ ଥିବା ଡାକ୍ତର ପ୍ରଶାନ୍ତ ସାମଲ କହିଛନ୍ତି।

Tags: #NewBornBaby #NewBornCare #NewBornDeath #Koraput #Boriguma

Comment