ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୧ ମସିହାରେ ସାରା ରାଜ୍ୟକୁ ହଲଚଲ୍ କରିଥିଲା ମମିତା ମେହେର ହତ୍ୟା ମାମଲା। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝର୍ନି ଗାଁର ହେଉଛନ୍ତି ମମିତା ସେ କଳାହା଼ଣ୍ଡି ଜିଲ୍ଲା ମହାଲିଙ୍ଗା ସନସାଇନ୍ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢ଼ାଉଥିଲେ ୨୦୨୧ ଅକ୍ଟୋବର ତାରିଖରେ ହଠାତ୍ ନିଖୋଜ ହୋଇ ଯାଇଥିଲେ ମମିତା ମେହେର ଝିଅର କୌଣସି ଖବର ପାଇବାରୁ ପରିବାର ଲୋକେ ଅକ୍ଟୋବର ୧୩ ତାରିଖରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ  

ଏହି ଘଟଣା ତଦନ୍ତ ଆରମ୍ଭ କରି ପୋଲିସ ପ୍ରଥମେ ସନସାଇନ୍ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଗୋବିନ୍ଦ ସାହୁକୁ ଥାନାକୁ ଡାକି ପଚରା ଉଚରା କରିଥିଲା ଗୋବିନ୍ଦଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବାବେଳେ ଥାନାରୁ ଚମ୍ପଟ ମାରିଥିଲା ଗୋବିନ୍ଦ। ଏହାକୁ ନେଇ ହୋଇଥିଲା ବହୁତ ତମ୍ବିତୋଫାନ। 

ପରେ ଗୋବିନ୍ଦକୁ ପୋଲିସ ବଲାଙ୍ଗିର ଥାନା ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗାଁରୁ ଧରିଥିଲା। ଗୋବିନ୍ଦକୁ ପଚରାଉଚରା ପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗାର ନିର୍ମାଣାଧୀନ ଷ୍ଟାଡିୟମରୁ ମମିତାଙ୍କ ମୃତଦେହ ମିଳିଥିଲା। ଷ୍ଟାଡ଼ିୟମ ଭିତରେ ଏକ ଗାତ ଭିତରୁ ତାଙ୍କର ଦରପୋଡ଼ା ମୃତଦେହ ମିଳିଥିଲା। 

ମମିତାଙ୍କୁ ହତ୍ୟା କରି ଟାୟାର କାର୍ଡ ବୋର୍ଡ ସାହାଯ୍ୟରେ ତାଙ୍କୁ ପୋଡ଼ି ଦେବାକୁ ଚେଷ୍ଟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ସେହି ଦିନ ହିଁ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରି ଅକ୍ଟୋବର ୨୦ରେ କୋର୍ଟଚାଲାଣ କରିଥିଲା ପୋଲିସ।

ଫେବ୍ରୁଆରି ୧୨ ତାରିଖରେ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ। ପୋଲିସ ତଦନ୍ତ ଅନୁଯାୟୀ, ଯେଉଁ ଦିନ ମମିତା ମେହେର ନିଖୋଜ ହୋଇଥିଲେ, ସେହି ଦିନ ତାଙ୍କୁ କାର୍ ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା ଗୋବିନ୍ଦ। ପରେ ନିର୍ମାଣାଧୀନ ମହାଲିଙ୍ଗା ଷ୍ଟାଡିୟମକୁ ଆଣି ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ।

ମମିତା ମେହେର ହତ୍ୟା ମାମଲା କୋର୍ଟରେ ବିଚାରଧୀନ ରହିଥିଲା। ଏଥିରେ ୧୬୯ ଜଣ ସାକ୍ଷୀ ମଧ୍ୟ ଅଛନ୍ତି। ୨୦୨୨ ଡିସେମ୍ବର ୨୦ ତାରିଖରେ ଏହି ମାମଲାର ଶୁଣାଣି ଥିଲା। ଗୋବିନ୍ଦ ସାହୁ ମଙ୍ଗଳବାର କୋର୍ଟରେ ହାଜର ହେବାର ଥିଲା କିନ୍ତୁ ତା ପୂର୍ବରୁ ସେହି ଦିନ ସକାଳ ୯ଟାରେ ତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।

Tags: #GovindaSahoo #UnnaturalDeath #MamitaMeherMurderCase #Balangir #Kalahandi #Odisha

Comment