ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସୈନୀ ବାହାର ହୋଇଛନ୍ତି। ଡିସେମ୍ବର ୨୨ ତାରିଖରୁ ଏହି ମ୍ୟାଚ୍‌ ଖେଳାଯିବ। ରୋହିତ ଶର୍ମା ଆହତ କାରଣରୁ ପ୍ରଥମ ମ୍ୟାଚରେ ମଧ୍ୟ ଖେଳିପାରି ନଥିଲେ। ଏବେ ସେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଉପଲବ୍ଧ ରହିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ ଅଧିନାୟକ ଦାୟିତ୍ଵ ନେଇଥିଲେ।

ରୋହିତ ଶର୍ମାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିବାବେଳେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି। ତାଙ୍କୁ ଭଲ ହେବା ପାଇଁ ଆଉ କିଛି ସମୟ ଲାଗିବ। ସେହିଭଳି ନବଦୀପ ସୈନୀ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କୁ ବାଙ୍ଗାଲୋର ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ପଠାଇ ଦିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିବ।

ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୨ ତାରିଖରୁ ୨୬ ତାରିଖ ଯାଏଁ ଚାଲିବ। ଏହି ମ୍ୟାଚ୍‌ ଢ଼ାକାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଭାରତ ଚଟ୍ଟୋଗ୍ରାମରେ ହୋଇଥିବା ପ୍ରଥମ ଟେଷ୍ଟକୁ ୧୮୮ ରନ୍‌ରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି। ଏବେ ଭାରତୀୟ ଦଳ ଏହି ଦ୍ଵିତୀୟ ମ୍ୟାଚ୍‌ ଜିତି ସିରିଜ ଉପରେ କବ୍ଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

Tags: #India #Bangladesh #Testseries #Cricket #2ndTest #RohitSharma #NavdeepSaini #KLrahul #BCCI #ICCWorldTestChampionship

LEAVE A REPLY

Please enter your comment!
Please enter your name here