ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଏଣିକି ବାରିପଦାବାସୀ ପାଇପାରିବେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳର ସୁବିଧା। କାରଣ ବାରିପଦା ସହରର ୨ଟି ୱାର୍ଡରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଭର୍ଚୁଆଲ ମୋଡରେ ସହରର ୨ଟି ୱାର୍ଡରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଓ ଉଦଳା ସହରରେ ଦୁଇଟି ଲେଖାଏଁ ୱାର୍ଡରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାମ ଯୋଜନା ଅନ୍ତର୍ଗତ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ।

୫-ଟି ଉପକ୍ରମରେ ଆଜି ରାଜ୍ୟର ୨୪ଟି ସହରରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଏହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ଵର, କଟକ, ନିମାପଡ଼ା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଏବଂ ବ୍ୟାସନଗର।

ମୟୂରଭଞ୍ଜରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ମୟୂରଭଞ୍ଜ ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଏବଂ ବାରିପଦା ପୌରପରିଷଦର ଉପନଗରପାଳ ସୀମା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Tags: #DrinkFromTap #24HourWaterSupply #NaveenPatnaik #Gopalpur #19Cities #Odisha

Comment