ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ଏଡୁ ଇନ୍‌ଭେଷ୍ଟ କନକ୍ଲେଭ୍’ ଅନୁଷ୍ଠିତ ହେବ। ଶିଳ୍ପ ପରି ଗଣଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟଶିକ୍ଷା ଓ କୃଷିଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଏହି କନକ୍ଲେଭ୍ ଆୟୋଜନ କରାଯିବ। ଓଡ଼ିଶାରେ ପ୍ରଥମଥର ଲାଗି ହେବାକୁଥିବା ଶିକ୍ଷା କନକ୍ଲେଭରେ ବିଭିନ୍ନ ଅଧିବେଶନ, କର୍ମଶାଳା, ଆଲୋଚନାଚକ୍ର, ପ୍ରଦର୍ଶନୀ, ଇନଭେଷ୍ଟ କର୍ଣ୍ଣର ଆଦି ରହିବ। ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ଶିକ୍ଷା ସମ୍ମିଳନୀରେ ୫୦ଟି ଦେଶର ପ୍ରତିନିଧି ଭାଗ ନେବେ। ସେମାନେ ନିଜ ଦେଶର ଶିକ୍ଷା ସମ୍ପର୍କରେ ମତପ୍ରକାଶ କରିବା ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବୁଲି ଦେଖିବେ। ଅନ୍ୟ ରାଜ୍ୟର ପ୍ରତିନିଧିମାନଙ୍କୁ ମଧ୍ୟ ଏଠାକୁ ନିମନ୍ତ୍ରଣ କରାଯିବ। ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଯଥା ହାଇସ୍କୁଲରେ ୫ଟି ରୂପାନ୍ତରଣ, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ କାର୍ଯ୍ୟକ୍ରମ ଏହି ସମ୍ମିଳନୀରେ ପ୍ରଦର୍ଶିତ ହେବ।

“ବିଶ୍ଵସ୍ତରୀୟ ସଂସ୍ଥାଗୁଡ଼ିକୁ ଏଡୁ ଇନ୍‌ଭେଷ୍ଟ କନକ୍ଲେଭ୍‌କୁ ଡକାଯିବ। ସେମାନେ ନିଜ ନିଜର ତଥ୍ୟ ଉପସ୍ଥାପନ କରିବେ। ଯେଉଁ ଶିକ୍ଷାନୁଷ୍ଠାନ ଏଠାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେବେ। ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଆଗକୁ ନେବା କ୍ଷେତ୍ରରେ ଏହା ସହାୟକ ହେବ”, କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟର କିଛି ଅଞ୍ଚଳକୁ ନେଇ ଶିକ୍ଷା କରିଡର ସୃଷ୍ଟି କରିବାକୁ ବି ରାଜ୍ୟ ଲକ୍ଷ୍ୟ ରଖିଛନ୍ତି। ନିୟମିତ ପାଠ୍ୟକ୍ରମଠାରୁ ଅଲଗା କିଛି ଗୁଣାତ୍ମକ ବିଷୟ ଯେପରିକି ବ୍ଲକ ଚେନ ଟେକ୍ନୋଲୋଜି, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନସ୍‌, ରୋବୋଟିକ୍ସ ପରି ନୂଆ ନୂଆ ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ବିଶ୍ଵବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ସମ୍ମିଳନୀରେ ପ୍ରାଥମିକତା ଦିଆଯିବ।”

“ଓଡ଼ିଶାର ଶିକ୍ଷାର ବିଶ୍ୱ ସହ କିପରି ସମନ୍ୱୟ ରହିବ, ଶିଳ୍ପ ସଂସ୍ଥାଗୁଡ଼ିକ ସହ ଶିକ୍ଷାନୁଷ୍ଠାନ କିଭଳି ଯୋଡ଼ିହେବେ ଆଦି ବିଷୟରେ ଆସିଥିବା ପ୍ରତିନିଧିଙ୍କ ସହ ଆଲୋଚନା ହେବ। ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ କିଭଳି ଉନ୍ନତ ପ୍ରଦର୍ଶନୀ କରିବେ ସେନେଇ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ଏହି କନକ୍ଲେଭରୁ ଯେଉଁ ଭଲ ପରାମର୍ଶ ବା ମତାମତ ମିଳିବ ତାହାକୁ ଓଡ଼ିଶାରେ ଲାଗୁ କରାଯିବ”, କହିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ।

Tags: #EduInvestconclave #2023 #Investment #Educationsector #Develpoment #educationdept #Odisha

Comment