ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ଓ ବ୍ୟାଟେରୀ କାରଖାନା ନିର୍ମାଣ କରିବ ଜେଏସଡବ୍ଲ୍ୟୁ ଗ୍ରୁପ୍। ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏନେଇ ଶନିବାର ଓଡ଼ିଶା ସରକାର ଏବଂ ଜେଏସଡବ୍ଲ୍ୟୁ ଗ୍ରୁପ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ଜେଏସଡବ୍ଲ୍ୟୁ ଗ୍ରୁପ୍ କଟକ ନିକଟସ୍ଥ ନାରାଜରେ ଇଭି ପ୍ଲାଣ୍ଟ ନିର୍ମାଣ କରିବ। ପ୍ରାୟ ୯୦୦ ଏକର ଜମିରେ ଏହି କାରଖାନା ନିର୍ମାଣ ହେବ। ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ଏଠାରେ ବିଦ୍ୟୁତ୍ ଚାଳିତ ଗାଡ଼ି ଓ ଏହାର ଅନ୍ୟ ଉପକରଣ ନିର୍ମାଣ କରାଯିବ।

ସେହିପରି ଗ୍ରୁପ୍ ପାରାଦୀପରେ ଏକ କପର ଓ ଲିଥିୟମ ରିଫାଇନାରି ପ୍ରତିଷ୍ଠା କରିବ। ସେଠାରେ ବୈଦ୍ୟୁତିକ ଯାନ ପାଇଁ ବ୍ୟାଟେରି ନିର୍ମାଣ କରାଯିବ। ଏହାର କ୍ଷମତା ୫୦ ଗିଗାୱାଟ୍ ରହିବ। ଉଭୟ ପ୍ରକଳ୍ପରେ ପ୍ରାୟ ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ।

“ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ଜେଏସଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ପ୍ରଥମ ବୈଦ୍ୟୁତିକ ଯାନ କାରଖାନା ନିର୍ମାଣ କରିବ। ଏହି ପ୍ରକଳ୍ପ ରାଜ୍ୟର ଆର୍ଥିକ ବିକାଶକୁ ଆହୁରି ତ୍ଵରାନ୍ଵିତ କରିବା ସହ ରାଜ୍ୟକୁ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢ଼ିବାରେ ସହାୟକ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ସବୁଜ ଶକ୍ତି ପ୍ରକଳ୍ପ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। ଏହାଦ୍ଵାରା ପରିବେଶ ସୁରକ୍ଷା ହେବା ସହ ଗ୍ରୀନ ହାଉସ ଗ୍ୟାସର ଉତ୍ସର୍ଜନ କମାଇବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଜେଏସଡବ୍ଲ୍ୟୁ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେଇଥିଲେ।

Tags: #JSWGroup #EVManufacturingPlant #GreenEnergy #Investment #Odisha

LEAVE A REPLY

Please enter your comment!
Please enter your name here