ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶୁକ୍ରବାର ଦିନ ହକି ଇଣ୍ଡିଆ ତରଫରୁ ଘୋଷଣା କରାଯାଇଥିବା ୧୮ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି। ଭାରତୀୟ ଟିମରେ ଖେଳିବେ ଅମିତ ରୋହିଦାସ ଏବଂ ନୀଲମ ସଞ୍ଜୀପ ଖେସ। ହରମନପ୍ରୀତ ସିଂ ଅଧୀନାୟକ ଥିବାବେଳେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି।

ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିବା ୧୮ ଜଣିଆ ଦଳରେ ଗୋଲକିପର ଭାବେ ରହିଛନ୍ତି କ୍ରିଷନ ବାହାଦୂର ପାଠକ ଏବଂ ଶ୍ରୀଜେଶ ରଭୀନ୍ଦ୍ରନ। ଏହା ସହ ଡିଫେଣ୍ଡର ଭାବେ ଜରମନପ୍ରୀତ ସିଂ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂ(ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ(ଉପଅଧିନାୟକ), ନୀଲମ ସଞ୍ଜୀପ ଖେସ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକଣ୍ଠ ଶର୍ମା, ସାମଶେର ସିଂ, ବିବେକ ସାଗର ପ୍ରସାଦ। ସେହିପପରି ଫରଓ୍ଵାର୍ଡସ ଭାବେ ଆକାଶଦୀପ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ଏବଂ ସୁଖଜିତ ସିଂ। ଏହା ସହିତ ବିକଳ୍ପ ଖେଳାଳି ଭାବେ ରହିଛନ୍ତି ରାଜକୁମାର ପାଲ ଓ ଯୁଗରାଜ ସିଂ।

ପୁରୁଷ ହକି ବିଶ୍ଵକପ-୨୦୨୩ରେ ଖେଳାଯିବ ୪୪ଟି ମ୍ୟାଚ

ଆସନ୍ତା ୨୦୨୩ ଜାନୁଆରି ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ଵକପ। ଉଭୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟୟ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ମ୍ୟାଚ ଖେଳାଯିବ। ହକିର ଏହି ମହାକୁମ୍ଭରେ ମୋଟ ୪୪ ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଜାନୁଆରି ୨୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଓପନିଂ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ଭେଟିବ ଦକ୍ଷିଣ ଆଫ୍ରିକା ଟିମ୍। ମୋଟ ୪୪ଟି ମ୍ୟାଚ୍ ମଧ୍ୟରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୨୪ଟି ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ୨୦ଟି ମ୍ୟାଚ୍ ଖେଳାଯିବ।

୨୦୧୬ ଅଲିମ୍ପିକ୍‌ରେ ଆର୍ଜେଣ୍ଟିନା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ରାଙ୍କରେ ଥିବା ହକି ଟିମ୍ ହେଉଛି ଦକ୍ଷିଣ ଆଫ୍ରିକା। ତେଣୁ ପ୍ରଥମ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ବିଶ୍ୱ ହକିର ଏହି ଦୁଇଟି ଶକ୍ତିଶାଳୀ ଟିମ୍ ୧୩ ଜାନୁଆରି ୨୦୨୩ରେ ପରସ୍ପରକୁ ସାମ୍ନା କରିବେ। ପୁରୁଷ ହକି ବିଶ୍ୱକପ୍‌ର ଏହି ଉଦ୍‌ଘାଟନୀ ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ।

ଦ୍ୱିତୀୟ ମ୍ୟାଚ୍‌ରେ ଅନ୍ତର୍ଜାତୀୟ ହକି ରାଙ୍କିଙ୍ଗର ଶୀର୍ଷରେ ଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଭେଟିବ ଫ୍ରାନ୍ସ। ଏହି ଦୁଇ ଦଳ ୨୦୧୮ ପୁରୁଷ ହକି ବିଶ୍ୱକପ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ମଧ୍ୟ ପରସ୍ପରକୁ ଭେଟିଥିଲେ।

ଜାନୁଆରି ୧୩ ତାରିଖ ଦିନ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ କୁହାଯାଉଥିବା ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ଏହାର ସର୍ବପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବ। ଏଥିରେ ଇଂଲଣ୍ଡ ଓ ୱେଲସ୍ ଟିମ୍ ମଧ୍ୟରେ ମୁକାବିଲା ହେବ। ଏହା ସହିତ ଘରୋଇ ମାଟିରେ ସ୍ପେନ୍‌କୁ ଭେଟିବ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍।

ଟୁର୍ଣ୍ଣାମେଣ୍ଟ ପାଇଁ ଚାରୋଟି ପୁଲ୍‌ରେ ବିଶ୍ୱର ୧୬ଟି ଟିମ୍ ଖେଳିବେ। ପୁଲ୍ ‘ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ପୁଲ୍ ‘ବି’ରେ ବେଲଜିୟମ୍, ଜର୍ମାନୀ, କୋରିଆ ଓ ଜାପାନ୍ ସାମିଲ୍ ରହିଛନ୍ତି। ସେହିପରି ପୁଲ୍ ‘ସି’ରେ ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ ଓ ଚିଲି ରହିଥିବା ବେଳେ ପୁଲ୍ ‘ଡି’ରେ ଭାରତ, ଇଂଲଣ୍ଡ, ସ୍ପେନ୍ ଓ ୱେଲସ୍ ରହିଛନ୍ତି।

ଚଳିତ ପୁରୁଷ ହକି ବିଶ୍ୱକପ୍‌ରେ ଚିଲି ଓ ୱେଲସ୍ ପ୍ରଥମ ଥର ପାଇଁ ସାମିଲ୍ ହୋଇଛନ୍ତି। ପୁରୁଷ ବିଶ୍ୱକପ୍ ହକି ୨୦୧୮ର ଫାଇନାଲ୍‌ରେ ନେଦରଲ୍ୟାଣ୍ଡକୁ ହରାଇ ବିଶ୍ୱ ଚାମ୍ପିୟାନ୍ ହୋଇଥିଲା ବେଲଜିୟମ୍।

ପୁରୁଷ ବିଶ୍ୱକପ୍ ହକି ୨୦୨୩ର ସମସ୍ତ ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଖେଳାଯିବ। ଓଡ଼ିଶା ଏହି ମେଗା ଇଭେଣ୍ଟର ଆୟୋଜକ ଥିବାବେଳେ ରାଜ୍ୟକୁ ଦ୍ୱିତୀୟ ଥର ବିଶ୍ୱକପ୍ ହକି ଆୟୋଜନର ସୁଯୋଗ ମିଳିଛି। ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମଠାରେ ପୁରୁଷ ହକି ବିଶ୍ୱକପ ଖେଳାଯାଇଥିଲା।

Tags: #HockeyIndia #FIH #MensHockeyWorldCup2023 #Sports #RourkelaBirsaMundaInternationalHockeyStadium #KalingaStadium #AmitRohidas #IndianHockeyTeam

Comment