ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପ୍ରତିଭାବାନ ସାଇକ୍ଲିଷ୍ଟ୍‌ ସ୍ଵସ୍ତି ସିଂହଙ୍କୁ ୨୦୨୨ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ଵରରେ ଶୁକ୍ରବାର ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ଓ ଫଳକ ପ୍ରଦାନ ପୂର୍ବକ ଏହି କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଖ୍ୟାତନାମା ବିଲିୟାର୍ଡସ ଖେଳାଳି ପଙ୍କଜ ଆଡଭାନି ସ୍ଵସ୍ତିଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିସହ ସ୍ଵସ୍ତି ସିଂହ ୩୦ତମ ଏକଲବ୍ୟ ସମ୍ମାନର ଅଧିକାରିଣୀ ହୋଇଛନ୍ତି। ଏହି ଉତ୍ସବରେ ଭାରତୀୟ ମହିଳା ଫୁଟବଲ୍ ଦଳର ଯୁବ ଖେଳାଳି ପ୍ୟାରି ଖାଖା ଏବଂ ଅନ୍ତର୍ଜାତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ଉପବିଜେତା ସମ୍ମାନ ସହିତ ୫୦,୦୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି।

“ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କ ପାଇଁ ଇମ୍ପାକ୍ଟ ସର୍ବଦା ଗର୍ବିତ। ଆମେ ରାଜ୍ୟର ଉଦୀୟମାନ ଖେଳାଳିଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛୁ”, କହିଛନ୍ତି ଏକଲବ୍ୟ ପୁରସ୍କାର କମିଟିର ସଭାପତି ବୈଜୟନ୍ତ ପଣ୍ଡା।

ଇମ୍ପାକ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଙ୍କଜ ଆଡଭାନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଏସିଆଡ୍ ପଦକ ବିଜୟିନୀ ପ୍ରଣତି ମିଶ୍ର ସମ୍ମାନିତ ଅତିଥି ଭାବେ ଏହି ସମ୍ମାନ ସଭାରେ ଯୋଗ ଦେଇଥିଲେ। ଇମ୍ପାକ୍ଟ ସଂସ୍ଥାର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।  ୧୯୯୩ ମସିହାରୁ ଇମ୍ଫା ଦ୍ଵାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ରାଜ୍ୟର ଉଦୀୟମାନ (୨୫ ବର୍ଷରୁ କମ୍‌) ଖେଳାଳିଙ୍କୁ ପ୍ରଦାନ କରାଯାଇଆସୁଛି।

Tags: #Ekalabyaawards #Sports #SwastiSingh #Impact #PankajAdvani #Bhubaneswar

Comment