ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ୍‌-୨୦୨୩ ଆୟୋଜନ ହେବା ପୂର୍ବରୁ ଶୁକ୍ରବାର ଦିନ ରାଉରକେଲା ବିମାନ ବନ୍ଦରରୁ ପରୀକ୍ଷଣ ଭାବେ ଉଡ଼ିଲା ବିମାନ। ‘ଏଲାଏନ୍ସ ଏୟାର’ର ୭୨ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ ଅବତରଣର ପରୀକ୍ଷଣ କରାଯାଇଛି। ଆଜି ଅପରାହ୍ଣ ୩ଟା ୨୦ରେ ‘ଏଲାଏନ୍ସ ଏୟାର’ର ବିମାନ ଅବତରଣ କରି ୩ଟା ୪୫ ମିନିଟରେ ଭୁବନେଶ୍ଵର ଅଭିମୁଖେ ଉଡ଼ାଣ ଭରିଥିଲା।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ, ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ସ୍ୱତନ୍ତ୍ର ସଚିବ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଆର ଭିନୀଲ କ୍ରୀଷ୍ଣା, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ଦେବଦତ୍ତା ସୁରନଜିତା ଜେନା, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଏସପି ମୁକେଶ କୁମାର ଭାମୁ, ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ଶତପଥୀ, ରାଜ୍ୟ ସରକାର, ଆରଏସପି ଓ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅନ୍ୟ ବରିଷ୍ଠ ଅଧିକାରୀ ତଥା ହକି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ।

ବିମାନର ସୁଗମ ଅବତରଣ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ପାଇଲଟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେପରେ ବିମାନଟି ବିମାନ ବନ୍ଦରରୁ ଝାରସୁଗୁଡ଼ାକୁ ଫେରିଯାଇଥିଲା।

ଆସନ୍ତା ୨୦୨୩ ମସିହା ଜାନୁଆରି ୭ ‌ତାରିଖଠାରୁ ରାଉରକେଲାରୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ୭୨ ସିଟ୍‌ ବିଶିଷ୍ଟ ଏଟିଆର୍‌-୭୨ ବିମାନ ଏହି ସେବା ପ୍ରଦାନ କରିବ। ଖୁବ ଶୀଘ୍ର ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରାଉରକେଲାରେ ବିମାନ ସେବା ଆରମ୍ଭ ହେବା ନେଇ ସହରବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

Tags: #AllainceAir #Rourkela #AirService #Hockey #FIH #HockeyWorldCUP2023

Comment