ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରୀ ବିଭାଗ ଚଢ଼ଉ କରି ୨୦୦ କେଜି ଗଞ୍ଜେଇ ଜବତ କରିବା ସହ  ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିମେଳାର ରାଜେନ୍ଦ୍ର ମଣ୍ଡଳ ଏବଂ କବିରାଜ ଗୋଲରି। ଏ ନେଇ ଶୁକ୍ରବାର ଦିନ ଅବକାରୀ ନିରୀକ୍ଷକ ଦୁର୍ବାଦଳ ବିଶ୍ୱାଳ ସୂଚନା ଦେଇଛନ୍ତି।

ମାଲକାନଗିରି ଜିଲ୍ଲାରୁ ଏକ ବୋଲେରୋ ଗାଡ଼ିରେ ଜୟପୁରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ପାଇ ଜୟପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ବାଲିଆ ବ୍ରିଜ ନିକଟରେ ଚଢ଼ଉ କରାଯିବା ସମୟରେ ଏକ ବୋଲେରୋରୁ ୨୦୦ କେଜିର ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ରାଜେନ୍ଦ୍ର ମଣ୍ଡଳ ଓ କବିରାଜ ଗୋଲରି ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Tags: #Koraput #Jeypure #GanjaSeized #TwoArrested

Comment