ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ଵକପ ଆୟୋଜନ କରିବା ଲଗି ପ୍ରସ୍ତୁତ ହୋଇଛି ଓଡ଼ିଶା। ସମଗ୍ର ରାଜ୍ୟରେ ଚାଲିଛି ଏବେ ହକିର ଚର୍ଚ୍ଚା। ବିଶେଷକରି ଯୁବବର୍ଗ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ। ଏହିକ୍ରମରେ ମଙ୍ଗଳବାର ବହୁ ସଂଖ୍ୟାରେ ଯୁବକ ସୁନ୍ଦରଗଡ଼ରୁ ସାଇକେଲ ଯୋଗେ ଭୁବନେଶ୍ଵର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ହକି ବିଶ୍ଵକପ ଭଳି ମେଗା ଇଭେଣ୍ଟର ଆୟୋଜନ ଓଡ଼ିଶାରେ ହେବାକୁ ଯାଉଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଶ୍ଵକପ ପାଇଁ ଭୁବନେଶ୍ୱରର କଲିଙ୍ଗ ଷ୍ଟାଡିୟମ ବ୍ୟତୀତ ଇସ୍ପାତନଗରୀ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମକୁ ଚୟନ କରିଥିବାରୁ ଯୁବକମନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କ ସହିତ ମାହଙ୍ଗା ବିଧାୟକ ପ୍ରତାପ ଜେନା ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ହକିର ଲୋକପ୍ରିୟତା ତଥା ପ୍ରୋତ୍ସାହନ ପାଇଁ ଯୁବକମାନଙ୍କ ଉଦ୍ୟମରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଉଦ୍ୟମ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଉରକେଲାରେ ବିଶ୍ଵକପର ସଫଳ ଆୟୋଜନ ପାଇଁ  ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ବୁଧବାର ଐତିହ୍ୟ ସହର କଟକରେ ଆୟୋଜିତ ହେଉଛି ହକି ବିଶ୍ଵକପର ଉଦ୍‌ଘାଟନୀ ସମାରୋହ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି, କଟକରେ ହକି ବିଶ୍ୱକପ ଉଦଘାଟନୀ ସମାରୋହ ଆୟୋଜନ କରିବାର ନିଷ୍ପତ୍ତି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

Tags: #HockeyWorldCup2023 #Youths #CycleRally #Sundargarh #Thank #NaveenPatnaik

Comment