ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ରମାଗତ ଦ୍ୱିତୀୟଥର ପାଇଁ ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ହକି ବିଶ୍ଵକପ ପାଇଁ ରାଜ୍ୟର କ୍ରୀଡ଼ାପ୍ରେମୀ ଉତ୍ସାହିତ ଅଛନ୍ତି। ବିଶ୍ଵକପର ଏହି ମାହୋଲକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ହକି ଆସୋସିଏସନ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆୟୋଜନ କରିବାକୁ ଯାଉଛନ୍ତି ନାସନାଲ ହକି କନକ୍ଲେଭ ୨୦୨୩। କୋଣାର୍କ ଇକୋ ରିଟ୍ରିଟଠାରେ ଜାନୁଆରି ୧୦ ତାରିଖରେ ଏହି କନକ୍ଲେଭ ଆୟୋଜିତ ହେବ। ଭାରତର ଅନେକ କିମ୍ବଦନ୍ତୀ ହକି ଖେଳାଳି ଏବଂ ଅନ୍ୟ ପ୍ରତିନିଧିମନେ ଏଥିରେ ଯୋଗ ଦେବେ। ହକି ଖେଳର ଉନ୍ନତି ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା ଏଠାରେ କରାଯିବ।
ନାସନାଲ ହକି କନକ୍ଲେଭରେ ୧୯୭୫ ମସିହାର ହକି ବିଶ୍ଵକପ ବିଜୟୀ ଦଳର କିଛି ଖେଳାଳି ଯୋଗଦେବେ। ଏହାଛଡ଼ା ଭାରତର ବିଭିନ୍ନ ରାଜ୍ୟର ୪୭ ଜଣ ପୂର୍ବତନ ହକି ଖେଳାଳି ଏବଂ ହକି ଇଣ୍ଡିଆର ୨୬ ଜଣ ବିଶିଷ୍ଟ ପ୍ରତିନିଧିମାନେ ଭାଗ ନେବେ। ଖେଳାଳିଙ୍କ ପ୍ରଦର୍ଶନ, କୋଚିଂ, ତୃଣମୂଳ ସ୍ତରର ପ୍ରତିଭା ଚିହ୍ନଟ,ସେମାନଙ୍କୁ ଦିଆଯାଉଥିବା ସୁଯୋଗ ତଥା ଖେଳର ଉଦୀୟମାନ ଧାରାଠାରୁ ଆରମ୍ଭ କରି ଭାରତୀୟ ହକିର ବିକାଶର ଉପାୟ ବିଷୟରେ ଆଲୋଚନା ଏହି କନକ୍ଲେଭରେ କରାଯିବ।
“ହକି ଆସୋସିଏସନ ଅଫ୍ ଓଡିଶା ଏବଂ ସରକାରଙ୍କ ସହଯୋଗରେ ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି କନକ୍ଲେଭ ଅନୁଷ୍ଠିତ ହେଉଛି। ହକିର ବିଶିଷ୍ଟ ଖେଳାଳିଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଏଥିରେ ଭାଗ ନେବେ। ଏହାଛଡ଼ା ବିଭିନ୍ନ ହକି ସଙ୍ଘର ବରିଷ୍ଠ ଅଧିକାରୀମାନେ କନକ୍ଲେଭରେ ଯୋଗ ଦେବେ। ଭାରତରେ ହକିର ବିକାଶ, ବର୍ଷ ବର୍ଷ ଧରି ଚାଲିଥିବା ଖେଳର ଶୈଳୀରେ ପରିବର୍ତ୍ତନ ଏବଂ ଖେଳ କିପରି ସାମଗ୍ରିକ ଭାବେ ବଦଳିଛି ସେ ସମ୍ବନ୍ଧରେ ଆଲୋଚନା ହେବ। ଏହା ଜାତୀୟ ସ୍ତରରେ ହକିର ବିକାଶ ପାଇଁ ବିଶେଷ ସହାୟକ ହେବ”, କହିଛନ୍ତି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ।
“ହକି ଏବଂ ଏହାର ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଦେଶରେ ହକି ସହ ଯୋଡ଼ି ହୋଇଥିବା ବିଭିନ୍ନ ଲୋକଙ୍କୁ ଏକାଠି କରିବା ପାଇଁ ଏହି କନକ୍ଲେଭ ସହାୟ ହେବ”, କହିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା।
କନକ୍ଲେଭ ପରେ ଏଠାରେ ଆସିଥିବା ପ୍ରତିନିଧିମାନେ କଟକରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଯୋଗ ଦେବେ। ପରେ ସେମାନେ ରାଉରକେଲାସ୍ଥିତ ପାନପୋଷ ସ୍ପୋର୍ଟସ ହଷ୍ଟେଲ ପରିଦର୍ଶନ କରିବେ।
Tags: #NationalHockeyConclave2023 #Konark #HockeyWorldCup #LegendHockeyPlayers #Odisha