ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ବର୍ଷର କୁନି ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ସାବତ ମା’ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହିଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ।

ସୋମବାର ଦିନ ଶ୍ରୀରାମନଗର ଅଞ୍ଚଳର ଏକ ଘର ଭିତରୁ ଜଣେ ମହିଳାଙ୍କର ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ସେହି ଘରେ ଦୁଇ ବର୍ଷ ଶିଶୁର ମୃତଦେହ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ମହିଳା ହେଉଛନ୍ତି ମୃତ ଶିଶୁର ସାବତ ମା’ ଶିଳ୍ପୀ ଖୁଣ୍ଟିଆ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରଥମ ପତ୍ନୀଙ୍କର ଦେହାନ୍ତ ପରେ ସନ୍ତୋଷ ଖୁଣ୍ଟିଆ ଶିଳ୍ପୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ଛୋଟ ପୁଅଟେ ଥିଲା। ମା’ର ମୃତ୍ୟୁ ପରେ ଜେଜେ ବାପାଙ୍କ ପାଖରେ ରହୁଥିଲା ସନ୍ତୋଷଙ୍କ ପୁଅ। ସନ୍ତୋଷ ବିବାହ କରିବା ପରେ ସାବତ ମା’ ଶିଳ୍ପୀଙ୍କ ପାଖରେ ପୁଅକୁ ଛାଡ଼ି ଦେଇଥିଲେ ଜେଜେ। ବିବାହର କିଛି ଦିନ ପରେ ସନ୍ତୋଷ ଏବଂ ଶିଳ୍ପୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ବୋଲି କହିଛନ୍ତି ସନ୍ତୋଷଙ୍କ ବାପା।

ଶିଳ୍ପୀଙ୍କ ମୃତ୍ୟୁ ପାଇଁ ସନ୍ତୋଷ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି ଶିଳ୍ପୀଙ୍କ ମା’। ସେ କହିଛନ୍ତି ସନ୍ତୋଷ ତାଙ୍କ ଝିଅକୁ ନିର୍ଯାତନା ଦେଉଥିଲେ। ନିର୍ଯାତନା ସହି ନପାରି ଝିଅ ଆତ୍ମହତ୍ୟା କରିଥିବା ଶିଳ୍ପୀଙ୍କ ମା’ ଅଭିଯୋଗ କରିଛନ୍ତି।

ଅନ୍ୟ ପକ୍ଷରେ ଶିଳ୍ପୀଙ୍କ ମା’ ଓ ଭଉଣୀଙ୍କ ଯୋଗୁଁ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିଥିଲା। ଝଗଡ଼ା ହେବା ବେଳେ ପୁଅକୁ ମାରି ଦେବାକୁ ଶିଳ୍ପୀ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ସନ୍ତୋଷ।

ମୃତ୍ୟୁ ପୂର୍ବରୂ ଫେସବୁକରେ ଶିଳ୍ପୀଙ୍କ ଶେଷ ପୋଷ୍ଟ ‘ଆଇ କୁଇଟ’

ମୃତ୍ୟୁ ପୂର୍ବରୁ ଫେସବୁକରେ ଶିଳ୍ପୀ ଖୁଣ୍ଟିଆଙ୍କ ଶେଷ ପୋଷ୍ଟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ‘ଆଇ କୁଇଟ’ ଲେଖାଥିବା ଏକ ଫୋଟୋକୁ ଫେସବୁକ ପେଜରେ ପୋଷ୍ଟ କରିଥିଲେ ଶିଳ୍ପୀ। ଜୀବନ ପ୍ରତି ମୋହ ତୁଟାଇ ସେ ଓହରି ଯିବାକୁ ସ୍ଥିର କରିଥିବା ତାଙ୍କର ଏହି ଫୋଷ୍ଟରୁ ଜଣାପଡ଼ୁଛି।

Tags: #Death #UnnaturalDeath #Cuttack

Comment