ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ଵକପ ୨୦୨୩ର କ୍ରସଓଭର ମ୍ୟାଚ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ମିଡଫିଲ୍ଡର ହାର୍ଦିକ ସିଂହ ବିଶ୍ଵକପରୁ ବାଦ ପଡ଼ିଛନ୍ତି। ହାର୍ଦିକଙ୍କ ଆଣ୍ଠୁରେ ଆଘତ ଯୋଗୁଁ ସେ ବିଶ୍ଵକପରେ ଖେଳିପାରିବେ ନାହିଁ। ହାର୍ଦିକଙ୍କ ବିକଳ୍ପ ଖେଳାଳି ଭାବେ ରାଜ କୁମାର ପାଲଙ୍କୁ ଦଳରେ ସ୍ଥାନ ମିଳିଛି। ଜାନୁଆରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ସମୟରେ ଆଘାତପ୍ରାପ୍ତ ହୋଇଥିଲେ ମିଡଫିଲ୍ଡର ହାର୍ଦ୍ଦିକ ସିଂହ।

“ହାର୍ଦିକଙ୍କର ଆଘାତ ଆରମ୍ଭରେ ଏତେ ଗୁରୁତର ଲାଗୁ ନଥିଲା। ତାଙ୍କର ବିଭିନ୍ନ ପରୀକ୍ଷଣ ଓ ଫିଲ୍ଡରେ ଖେଳିପାରିବାକୁ ନେଇ ମୂଲ୍ୟାଙ୍କନ ହେବାପରେ ଆଜି ନିଷ୍ପତ୍ତି ନିଆଯାଇଛି। ଆମେ ହାର୍ଦ୍ଦିକଙ୍କ ସ୍ଥାନରେ ରାଜ କୁମାର ପାଲଙ୍କୁ ଟିମରେ ନେବୁ। ଏହା ଆମ ପାଇଁ ଏକ କଠିନ ନିଷ୍ପତ୍ତି ଥିଲା। ବ୍ୟକ୍ତିଗତ ଭାବେ ହାର୍ଦ୍ଦିକଙ୍କ ପାଇଁ ଏହା ଅତ୍ୟନ୍ତ ନିରାଶାଜନକ ରହିବ। ବିଶ୍ଵକପର ଦୁଇଟି ମ୍ୟାଚରେ ସେ ବହୁତ ଭଲ ଖେଳିଥିଲେ। ଏବେ ତାଙ୍କ ବଦଳରେ ରାଜ କୁମାର ପାଲ ଭଲ ଖେଳିବେ ବୋଲି ଆମେ ଆଶା କରୁଛୁ”,କହିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ।

ହାର୍ଦିକ ସିଂହ ବିଶ୍ଵକପରେ ଉତ୍ତମ ପ୍ରଦର୍ଶନ କରିଥିଲେ। ସ୍ପେନ ବିପକ୍ଷ ମ୍ୟାଚରେ ସେ ଏକ ଗୋଲ ଦେଇଥିଲେ। ଆଘାତ କରଣରୁ ତାଙ୍କୁ ୱେଲ୍ସ ବିପକ୍ଷ ଭାରତର ଶେଷ ଗ୍ରୁପ୍ ମ୍ୟାଚରେ ବିଶ୍ରାମ ଦିଆଯାଇଥିଲା।

ଭାରତ ବିଶ୍ଵକପରେ ଦୁଇଟି ମ୍ୟାଚ ଜିତି ଓ ଗୋଟିଏ ମ୍ୟାଚ ଡ୍ର ରଖି, ଗ୍ରୁପ୍ ‘ଡି’ରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଭାରତକୁ କ୍ଵାର୍ଟର ଫାଇନାଲ୍ ଯିବାପାଇଁ କ୍ରସଓଭର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜିତିବାକୁ ପଡ଼ିବ। ଏହି ମ୍ୟାଚଟି ରବିବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

Tags: #HockeyMen’sWorldcup #indianHockeyTeam #HardikSingh #OutofTournament #Replacement #RajkumarPal

Comment