ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ସ୍କୁଲ ବ୍ୟାଗରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଗଲେ ଚାଲାଣକାରୀ। ଶନିବାର ଦିନ ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ। ବେଆଇନ ଭାବେ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ପ୍ରାୟ ୨୦ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମାଛକୁଣ୍ଡ ଥାନା ପୋଲିସ କହିଛି।

ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରାଯାଇଥିବା ପୋଲିସ ନିକଟରେ ଖବର ପହଞ୍ଚି ଥିଲା। ଲମତାପୁଟ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନୀଙ୍କ ନେତୃତ୍ଵରେ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ମାଲେଗାଁ ଛକଠାରେ ପୋଲିସର ଯାଞ୍ଚବେଳେ ୪ ଜଣ ବ୍ୟକ୍ତି କାନ୍ଧରେ ସ୍କୁଲ ବ୍ୟାଗ ପକାଇ ବସକୁ ଅପେକ୍ଷା କରିଥିବାବେଳେ ପୋଲିସ ସେମାନଙ୍କୁ ଡାକି ପଚରା ଉଚରା କରିଥିଲା।

ଯାଞ୍ଚବେଳେ ସେମାନଙ୍କ ବ୍ୟାଗରୁ ୨୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିଲା ପୋଲିସ। ପୋଲିସ ୪ ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଗଞ୍ଜେଇ ବିକ୍ରି କରିବା ଅଭିଯୋଗରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ଅଜିତ ରାମ, ସୋନୁ ରାମ ଏବଂ ସନ୍ଦିପ କୈସବ, ସୁମିତ ମିଶ୍ରା ଏବଂ ମାଲେଗାଁ ଗ୍ରାମର ମଙ୍ଗଳା ଖିଲ, ସୁକୁ ଦାଲି ଓ ଆନ୍ଧ୍ରପ୍ରଦେଶ ମୁଚିମପୁଟ ଅଞ୍ଚଳର ବଳରାମ ମୁକି।

Tags: #Koraput #Ganja #GanjaSeized #SevenArrested #Lamtaput

Comment