ଓଡ଼ିଶାଲାଇଭ୍ ବ୍ୟୁରୋ

ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଗୋପାଳକୃଷ୍ଣ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପିଏସଓ ନଥିବା ମଧ୍ୟ ଅରୁଣ ବୋଥ୍ରା ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସେ କହିଛନ୍ତି। ଗିରଫ ପରେ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।

ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ପରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କ ପତ୍ନୀ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କର ମାନସିକ ଅବସ୍ଥା କିଛି ବର୍ଷ ହେଲା ଠିକ୍ ନଥିଲା। ତେବେ ମାନସିକ ବିକୃତି କାରଣରୁ ନା ଅନ୍ୟ କୌଣସି କାରଣକୁ ନେଇ ଏଏସଆଇ ଗୋପାଳକୃଷ୍ଣ ମନ୍ତ୍ରୀଙ୍କ ଉପରକୁ ଗୁଳି କଲେ ତା’ର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।

ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ନବ କିଶୋର ଦାସଙ୍କୁ ଗୁଳି ମାରିଥିଲେ ବ୍ରଜରାଜନର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ। କେହି କିଛି ବୁଝିବା ପୂର୍ବରୁ ନିଜ ସର୍ଭିସ ବନ୍ଧୁକରୁ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ଗୋଟିଏ ପରେ ଗୋଟିଏ ଗୁଳି ମାରି ଚାଲିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଅଚେତ ହୋଇଯାଇଥିଲେ ମନ୍ତ୍ରୀ ନବ ଦାସ।

ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲ। ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ଵର ଅଣାଯାଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #OdishaPolitics #NabaKishorDas #Death #Murder #ASIGopalKrishnaDasArrested #CrimeBranchInvestigation

Comment