ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ହତ୍ୟା ଘଟଣାକୁ ୫ ଦିନ ହୋଇଥିଲେ ମଧ୍ୟ ମନ୍ତ୍ରୀଙ୍କ ହତ୍ୟା ପଛର କାରଣ ଏଯାଏଁ ଜଣାପଡ଼ୁନି।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ସହ ରିମାଣ୍ଡରେ ନେଇ ପଚରା ଉଚରା କରୁଛି। ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚ ଟିମ୍ ବ୍ରଜରାଜନଗରଠାରେ ଥିବା ଅଭିଯୁକ୍ତ ଗୋପାଳଙ୍କ ଭଡ଼ାଘରେ ପହଞ୍ଚି ଖୋଳତାଡ଼ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ରାଇବ୍ରାଞ୍ଚକୁ ସେମିତି କିଛି ଖାସ ସଫଳତା ମିଳିପାରି ନାହିଁ।

ନବ ଦାସଙ୍କ ଦେହରେ ବାଜିଥିବା ଗୁଳିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲା ପରେ ଗୁରୁବାର ବିଳମ୍ବିତ ରାତିରେ ନବ ଦାସ ବ୍ୟବହାର କରୁଥିବା କାରରୁ ଗୋଟିଏ ଗୁଳି ଜବତ କରାଯାଇଥିବା କୁହାଯାଉଛି। ଏହି ଗୁଳି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବ ବୋଲି ଆଶା କରାଯାଉଛି। ତେବେ ଜବତ ଗୁଳିଟି ନବ ଦାସଙ୍କ ଦେହରେ ବାଜି ଥିଲା ନା ନାହିଁ ତା’ର ଯାଞ୍ଚ ପାଇଁ ପରେନ୍ସିକ୍ ଲ୍ୟାବକୁ ପଠାଯାଇଛି।

ଅନ୍ୟ ପକ୍ଷରେ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ଅଭିଯୁକ୍ତ ଗୋପାଳ ଦାସଙ୍କ ହାତ ଲେଖା ଚିଠିର କିଛି ଟୁକୁଡ଼ା ଗୁରୁବାର ଦିନ ଜବତ କରାଯିବା କଥା ମଧ୍ୟ କୁହାଯାଉଛି।

ରିମାଣ୍ଡର ତୃତୀୟ ଦିନରେ ଗୋପାଳ ଦାସଙ୍କଠାରୁ କୌଣସି ସନ୍ତୋଷଜନକ ପ୍ରମାଣ ପାଇ ପାରିନାହିଁ କ୍ରାଇମବ୍ରାଞ୍ଚ। ଆଜି କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ବ୍ରଜରାଜନଗର ସ୍ଥିତ ଭଡ଼ାଘରେ ଖୋଳତାଡ଼ କରୁଥିବାବେଳେ ଅନ୍ୟ ଏକ ଟିମ ବ୍ରହ୍ମପୁରସ୍ଥିତ ବାସଭବନରେ ପହଞ୍ଚିଛି। ଅଭିଯୁକ୍ତ ଗୋପାଳଙ୍କ ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା ଚାଲିଛି। ଗୋପାଳଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରାଯିବ ବୋଲି ସୂଚନା ରହିଛି।

Tags: #OdishaPolitics #NabaKishorDas #Death #Murder #GopalKrishnaDas #CrimeBranchInvestigation

Comment