ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମ୍ମୁ ଓ କାଶ୍ମୀରର ଗୁଲମାର୍ଗଠାରେ ଆସନ୍ତା ଫେବ୍ରୁଆରି ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ତୃତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ା। ଏହି କ୍ରୀଡ଼ାରେ ଅଲପାଇନ ସ୍କି ବିଭାଗରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ ସ୍ନୋ ସ୍କିୟର ରଞ୍ଜିତା ବେହେରା।

‘ସ୍ନୋ ଗାର୍ଲ’ ଭାବେ ଜଣାଶୁଣା ରଞ୍ଜିତା ଗତ ୨୦୨୧ ମସିହାରେ ଅନୁଷ୍ଠିତ ଦ୍ଵିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ମଧ୍ୟ ଓଡ଼ିଶାରୁ ପ୍ରତିନିଧିତ୍ଵ କରି ଉତ୍ତମ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ରଞ୍ଜିତା ଚଳିତ ଥର ଆଲପାଇନ ସ୍କିଙ୍ଗର ସାଲାଲମ ଓ ଜଏଣ୍ଟ ସାଲାଲମ ବିଭାଗରେ ଅଂଶଗ୍ରହଣ କରିବେ।

ଗତ ସପ୍ତାହରେ ଗୁଲମାର୍ଗଠାରେ ରଞ୍ଜିତା ଅଭ୍ୟାସ କରୁଥିବାବେଳେ ଭୟଙ୍କର ହିମସ୍ଖଳନ ଆସିଥିଲା, କିନ୍ତୁ ସେଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଚଳିତ ଥର ବରାଫାବୃତ ରାଜ୍ୟ, ସେନା ତଥା ଇଣ୍ଡୋ-ତିବ୍ଦତୀୟ ବର୍ଡର ପୋଲିସର ଯୋଗ୍ୟ ଖେଳାଳିମାନେ ଅଂଶ ଗ୍ରହଣ କରୁଥିବାରୁ ପ୍ରତିଯୋଗିତା ସଂଘର୍ଷପୂର୍ଣ୍ଣ ରହିବ ବୋଲି କୁହାଯାଉଛି।

ରଞ୍ଜିତାଙ୍କ ଉଚ୍ଚ କୋଟିର ପ୍ରଦର୍ଶନକୁ ଭାରତୀୟ ସ୍କି ଓ ସ୍ନୋବୋର୍ଡ ଫେଡେରେସନର ସେକ୍ରେଟାରି ଜେନେରାଲ ରୁପଚାନ୍ଦ ନେଗୀ ଉଚ୍ଚ ପ୍ରଶଂସା କରିବା ସହ ରଞ୍ଜିତାଙ୍କ ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି।

ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ା ଶେଷ ହେବା ପରେ ରଞ୍ଜିତା ବେହେରା ଆସନ୍ତା ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଆଉଲିଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସିନିୟର ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନସିପରେ ଅଂଶ ଗ୍ରହଣ କରିବା ପରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।

Tags: #RanjitaBehera #TheSnowSkier #SnowGirlRanjita #KheloIndiaWinterGames

Comment