ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମ୍ମୁ ଏବଂ କାଶ୍ମୀରର ଗୁଲମାର୍ଗଠାରେ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ତୃତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଝିଅ ରଞ୍ଜିତା ବେହେରା ଉତ୍କୃଷ୍ଟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଆଲପାଇନ ସ୍କି ବିଭାଗର ଜଏଣ୍ଟ ସାଲାଲମ ଏବଂ ସାଲାଲମ ବିଭାଗରେ ଓଡ଼ିଶାରୁ ଭାଗ ନେଇଥିବା ଏକମାତ୍ର ଖେଳାଳି ହେଉଛନ୍ତି ରଞ୍ଜିତା।

ବରିଷ୍ଠ ମହିଳା ବିଭାଗରେ ଉଭୟ ଖେଳରେ ଭାଗ ନେଇ ଫାଇନାଲ ରାଉଣ୍ଡରେ ପହଞ୍ଚିଥିବା ରଞ୍ଜିତା ଅଳ୍ପକେ ପଦକ ପାଇବାରୁ ବଞ୍ଚିତ ହୋଇଥିଲେ। ତାଙ୍କ ପ୍ରଦର୍ଶନକୁ ଅନ୍ୟ ପ୍ରତିଯୋଗୀ ଏବଂ କୋଚ ପ୍ରଶଂସା କରିଥିଲେ। ଗୁଲମାର୍ଗର ମେରୀ ସୋଲଡରର ବିପଦପୂର୍ଣ୍ଣ ସ୍କି ଗଡ଼ାରେ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଫିନିସିଂ ପଏଣ୍ଟରେ ପହଞ୍ଚି ପାରିଥିଲେ ରଞ୍ଜିତା।

ସେନା, ଇଣ୍ଡୋ-ତିବ୍ଦତୀୟ ବର୍ଡର ପୋଲିସ ତଥା ବରଫ ରାଜ୍ୟର ଅଭିଜ୍ଞ ଖେଳାଳିମାନଙ୍କ ସହିତ ପ୍ରତିଦ୍ଵନ୍ଦ୍ଵିତା କରିବା ଏକ ଆହ୍ଵାନ ଥିଲା ବୋଲି କହିଛନ୍ତି ସ୍ନୋ ଗାର୍ଲ ରଞ୍ଜିତା ବେହେରା। ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ତୃତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଉଦଘାଟନୀ ଉତ୍ସବ ଦିନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ରଞ୍ଜିତାଙ୍କ ସହ ଏହି କ୍ରୀଡ଼ା ସମ୍ପର୍କରେ କଥା ହେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସହିତ କରିଥିଲେ।

ଗୁଲମାର୍ଗଠାରେ ଆୟୋଜିତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ପ୍ରତିଯୋଗିତା ସହଜ ନଥିଲା। ଏଥିରେ ଭାଗ ନେଇଥିବା ବହୁ ପ୍ରତିଯୋଗୀ ଖରାପ ପ୍ରଦର୍ଶନ ଯୋଗୁଁ ପ୍ରତିଯୋଗିତାରୁ ବାଦ ପଡ଼ିଥିବାବେଳେ ରଞ୍ଜିତା ବହୁ ବାଧାକୁ ଅତିକ୍ରମ କରି ଫିନିସିଂ ପଏଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ। ରଞ୍ଜିତାଙ୍କୁ ଉପଯୁକ୍ତ ତାଲିମ ଦିଆଗଲେ ସେ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ଇଣ୍ଡୋ-ତିବ୍ଦତୀୟ ପୋଲିସର ଡେପୁଟି କମାଣ୍ଡାଣ୍ଟ ତଥା କୋଚ ନାନକ ଚାନ୍ଦ ଠାକୁର।

Tags: #RanjitaBehera #TheSnowSkier #SnowGirlRanjita #KheloIndiaWinterGames

Comment