ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀରର ଗୁଲମାର୍ଗଠାରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ଓ୍ୱିଣ୍ଟର ଗେମ୍‌ସରେ ଭଲ ପ୍ରଦର୍ଶନ କରିଥିବା ରଞ୍ଜିତା ବେହେରାଙ୍କ ସହିତ ଓଡ଼ିଶାଲାଇଭ୍‌ର ଏକ ଟେଲିଫୋନିକ ସାକ୍ଷାତକାର।

(ଶୁଭଶ୍ରୀ ନାୟକ): ଓଡ଼ିଶାର ସ୍ନୋ ଗାର୍ଲ ଭାବେ ଜଣାଶୁଣା ରଞ୍ଜିତା ବେହେରା। ଖେଲୋ ଇଣ୍ଡିଆ ପକ୍ଷରୁ ଜମ୍ମୁ କଶ୍ମୀର ଗୁଲମାର୍ଗରେ ହୋଇଥିବା ନାସନାଲ ଓ୍ୱିଣ୍ଟର ଗେମ୍ସ ‘ସ୍ନୋ ସ୍କିଙ୍ଗ୍‌’ରେ ସେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ପାଇଁ ପ୍ରଶଂସା ଆଣିଛନ୍ତି। ଏହି ଜାତୀୟସ୍ତରୀୟ ବରଫ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ପ୍ରଥମ ଝିଅ ଭାବେ ଯୋଗ ଦେଇଥିବା ରଞ୍ଜିତାଙ୍କ ପ୍ରଦର୍ଶନ ପାଇଁ ଏବେ ସବୁଆଡ଼ୁ ତାଙ୍କୁ ମିଳୁଛି ଶୁଭେଚ୍ଛା।

ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୨ ଯାଏଁ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଲମାର୍ଗରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, ଆଇଟିବିପି, ଆର୍ମି ସ୍ପୋଟର୍ସ ସେଣ୍ଟରର ପ୍ରାୟ ୧୨ ଶହ ଖେଳାଳି ଏଥିରେ ଭାଗ ନେଇଥିଲେ।

ମହିଳା ବିଭାଗରେ ବରାଫାଞ୍ଚଳ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମକୁଶ୍ମୀରର ବହୁ ମହିଳା ଭାଗ ନେଇଥିଲା ବେଳେ ଓଡ଼ିଶାରୁ ଏକ ମାତ୍ର ରଞ୍ଜିତା ଏଥିରେ ଯୋଗ ଥିଲେ। ଏହି କ୍ରୀଡ଼ାରେ ରଞ୍ଜିତା ବିଜେତାଙ୍କଠାରୁ ମାତ୍ର କିଛି ସେକେଣ୍ଡର ଅନ୍ତରରେ ଫିନିସିଙ୍ଗ୍‌ ପଏଣ୍ଟରେ ପହଞ୍ଚିଥିଲେ। ଓଡ଼ିଶା ଭଳି ବରଫବିହୀନ ରାଜ୍ୟରୁ ଆସି ହିମପାତ ରାଜ୍ୟ ତଥା ଆଇଟିବିପି, ଆର୍ମିର ପ୍ରଥମ ଶ୍ରେଣୀର ଯୋଗ୍ୟ ଖେଳାଳିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଭଲ ପ୍ରଦର୍ଶନ କରିଥିବାରୁ ଏହି କ୍ରୀଡ଼ାରେ ୨ଟି ଗୋଲ୍ଡ ମେଡାଲ ଜିତିଥିବା ହିମାଚଳର ଆଞ୍ଚଲ ଠାକୁର ମଧ୍ୟ ରଞ୍ଜିତାଙ୍କ ଦକ୍ଷତାକୁ  ପ୍ରଶଂସା କରିଥଲେ।

ଆଇଟିବିପିର ମୁଖ୍ୟ କୋଚ୍‌ ନାନକ ଚାନ୍ଦଠାକୁର ରଞ୍ଜିତାଙ୍କ ପ୍ରଶଂସା କରି କହିଛନ୍ତି, ‘‘ବିଶ୍ୱାସ ହେଉନି ଯେ, ଓଡ଼ିଶାର ଭଳି ଏକ ରାଜ୍ୟ, ଯେଉଁଠି ବରଫ ଦେଖିବା ସ୍ୱପ୍ନ, ସେଠାରୁ ଆସି ରଞ୍ଜିତା ଏଭଳି ପ୍ରଦର୍ଶନ କରିଛନ୍ତି। ଯଦି ରଞ୍ଜିତା ଚାହାଁନ୍ତି ତେବେ ଆଗାମୀ ଦିନରେ ଆଇଟିବିପି ତରଫରୁ ତାଙ୍କ ଟ୍ରେନିଂ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ’’।

ସୁଦୂର ରାଉରକେଲାରୁ କଶ୍ମୀରର ଗୁଲମାର୍ଗ

ରାଉରକେଲାର ରଙ୍ଗୁନାଥ ବେହେରା ଓ ଅନ୍ନପୂର୍ଣ୍ଣା ବେହେରାଙ୍କ ସାନ ଝିଅ ହେଉଛନ୍ତି ରଞ୍ଜିତା। ସ୍କୁଲ, କଲେଜ ପାଠ ପଢ଼ା ତାଙ୍କର ରାଉରକେଲାରେ ସରିଥିଲା। ଗ୍ରାଜୁଏସନ ପରେ ଭାରତୀୟ ସେନାରେ ଯୋଗ ଦେବା ଥିଲା ରଞ୍ଜିତାଙ୍କ ଇଚ୍ଛା। ହେଲେ ତାଙ୍କ ଭାଗ୍ୟରେ ବୋଧେ ଆଉ କିଛି ଲେଖାଥିଲାଗ୍ରାଜୁଏସନ ପରେ ସେ ପର୍ବତାରୋହଣ‌ ଉପରେ ତାଲିମ ନେଇଥିଲେ।

୨୦୧୬ରୁ ଆରମ୍ଭ ହୋଇଥିଲା ରଞ୍ଜିତାଙ୍କ ଯାତ୍ରା

୨୦୧୬ରେ ସେ ବିଜୁ ପଟ୍ଟନାୟକ ହିମାଳୟନ ଯାତ୍ରା ଅନ୍ତର୍ଗତ ମାଉଣ୍ଟ ରୁଦୁଗଇରା ସଫଳତା ସହ ଆରୋହଣ କରିଥିଲେ। ଭାରତର ପ୍ରମୁଖ ପର୍ବତାରୋହଣ ଓ ସ୍ନୋ ସ୍କିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ସେ ତାଲିମ ମଧ୍ୟ ନେଇଛନ୍ତି।

ଏଥିପାଇଁ ରଞ୍ଜିତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। କାରଣ ଏହି ଖେଳ ଲାଗି ତାଲିମ ନେବାକୁ ବିପୁଳ ଟଙ୍କାର ଆବଶ୍ୟକ। ହେଲେ ସେ ଜଣେ ମଧ୍ୟବିତ୍ତ ପରିବାର ଝିଅ। ତେଣୁ ତାଙ୍କ ପାଇଁ ଏହା ଚାଲେଞ୍ଜିଂ ଥିଲା। ବାପା, ମା’ ପରିବାର ସମର୍ଥନ ଥିବାରୁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ବୋଲି କହିଛନ୍ତି ରଞ୍ଜିତା।

‘‘ବରଫରେ ଖେଳିବା ସହଜ ନଥିଲା। ଗୋଟିଏ ମାସ ପୂର୍ବରୁ ଏହି ଖେଳ ପାଇଁ ମୁଁ ପ୍ରତିଦିନ ବରଫ ପାହାଡ଼ରେ ଚଢ଼ି ଅଭ୍ୟାସ କରୁଥିଲି। ଅଭ୍ୟାସ ଯୋଗୁଁ ବରଫରେ ଖେଳିବା ମୋ ପାଇଁ ସହଜ ହୋଇଥିଲା। ଓଡ଼ିଶା ସରକାରଙ୍କ ସହାୟତା ରହିଛି। ରାଜ୍ୟବାସୀଙ୍କ ଭଲ ପାଇବା ଅଛି। ଆଜି ନହେଲେ ବି କାଲି ମୁଁ ରାଜ୍ୟ ପାଇଁ ମେଡାଲ ଆଣିବି’’, କହିଛନ୍ତି ରଞ୍ଜିତା ବେହେରା।

ଯେଉଁମାନେ ବି ଏହି ସ୍ନୋ ସ୍କିଙ୍ଗ୍‌ ଖେଳରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବାର୍ତ୍ତା ଦେବାକୁ ଯାଇ ରଞ୍ଜିତା କହିଛନ୍ତି, ‘‘ଯେଉଁମାନେ ବି ଏହି କ୍ରୀଡ଼ାରେ ଆସୁଛନ୍ତି, ସେମାନେ ଧୈର୍ଯ୍ୟର ସହ ତାଲିମ ନିଅନ୍ତୁ। କାରଣ ଏହି ଖେଳ ପାଇଁ ଧୈର୍ଯ୍ୟ ହିଁ ସବୁଠୁ ବଡ଼ ଅସ୍ତ୍ର। ଅନେକ ସମୟରେ ଏହି ଖେଳରେ ଏମିତି ପରିସ୍ଥିତି ଆସେ, ମନ ଭାଙ୍ଗି ଯାଏଁ। କିନ୍ତୁ ହାର ନମାନି ଆଗକୁ ବଢ଼ିବା ଦରକାର। ଯେହେତୁ ବରଫରେ ଖେଳ, ସେଥିପାଇଁ ନିଜ ଶରୀରକୁ ବି ତା’ ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ’’।

Comment