ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭିଡ଼ିଓ କନ୍‌ଫରେନ୍ସିଂରେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
  • ଖେଳାଳିମାନେ ନିଜ ଭିତରେ ପ୍ରତିଯୋଗିତା କରନ୍ତୁ: ପ୍ରଧାନମନ୍ତ୍ରୀ
  • ଓଡ଼ିଶାରୁ ମିଠା ସ୍ମୃତି ନେଇ ଫେରନ୍ତୁ ଖେଳାଳି – ମୁଖ୍ୟମନ୍ତ୍ରୀ
  • ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓଡ଼ିଶାରେ ହେଉ – ଧର୍ମେନ୍ଦ୍ର
  • ଓଡ଼ିଶୀ, ସମ୍ବଲପୁରୀ, ଡାଲଖାଇରେ ଦୁଲୁକିଲା ଷ୍ଟାଡିୟମ

କଟକ: ‘‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୃଷ୍ଟି କରିଛି ନୂଆ ଇତିହାସ। ଏହା ମାଧ୍ୟମରେ ଭାରତରେ ,କ କ୍ରୀଡ଼ା ଆନ୍ଦୋଳନ ଆରମ୍ଭ ହୋଇଛି। ଆଗାମୀ ପିଢ଼ିକୁ ଖେଳକୁଦ ସହିତ ଯୋଡ଼ିବା ପାଇଁ ଏହା ଉତ୍ସାହ ସୃଷ୍ଟି କରିବ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କଟକ ଜବାହରଲାଲ୍‌ ନେହେରୁ ଇନଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆରମ୍ଭ ହୋଇଛି। ଏହାକୁ ନୂଆଦିଲ୍ଲୀରୁ ଭିଡ଼ିଓ କନ୍‌ଫରେନ୍ସିଂରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ।

‘‘ଭାରତ ଆଜି ଖେଳକୁଦରେ ଅନ୍ୟ ଦେଶମାନଙ୍କ ସମକକ୍ଷ ହୋଇପାରିଛି। ଖେଳାଳିମାନଙ୍କ ମନରେ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ସୃଷ୍ଟି କରିବା ହେଉଛି ଏହାର ଲକ୍ଷ୍ୟ। ଖେଳାଳିମାନେ ନିଜ ଭିତରେ ଥିବା କ୍ଷମତା ଏବଂ ଦକ୍ଷତାକୁ ଅନୁଶୀଳନ କରିବା ଦରକାର। ନିଜ ସହ ପ୍ରଥମେ ପ୍ରତିଯୋଗିତା କରିବା ଦରକାର। ଯେଉଁଦିନ ନିଜ ସହ ପ୍ରତିଯୋଗିତାରେ ଜିତିଯିବେ ସେଦିନ ଆପଣଙ୍କ ସ୍ୱପ୍ନ ସାର୍ଥକ ହେବ’’, କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୧୮ ରେ ଯେତେବେଳେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସେତେବେଳେ ପ୍ରାୟ ୩ହଜାର ୫୦୦ ଖେଳାଳି ଭାଗ ନେଇଥିଲେ। ଏବେ ଖେଳ ଓ ଖେଳାଳିଙ୍କ ସ୍ତରରେ ଯଥେଷ୍ଟ ଉନ୍ନତି ଆସିଛି। ବିଭିନ୍ନ ଇଭେଣ୍ଟରେ ୮୦ଟି ନୂଆ ରେକର୍ଡ ସ୍ଥାପନ ହୋଇଛି। ସେଥିରୁ ୫୬ଟି ରେକର୍ଡ ହାସଲ କରିଛନ୍ତି ମହିଳାମାନେ। ଛୋଟ ସହର ଓ ଗରିବ ପରିବାରରୁ ଆସି ଖେଳାଳିମାନେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି।

ବିଗତ ୫/୬ବର୍ଷରେ ଭାରତ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସୁଛନ୍ତି। ପ୍ରତିଭା ଚିହ୍ନଟ ଓ ପ୍ରଶିକ୍ଷଣ ବାବଦରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ଯାହାଫଳରେ ସେଥିରୁ ବଛା ବଛା ଖେଳାଳି ଜାତୀୟ,ଅର୍ନ୍ତଜାତୀୟ ସ୍ତରରେ ନିଜ କ୍ଷମତା ପ୍ରଦର୍ଶନ କରିବାକୁ ସଫଳ ହେଉଛନ୍ତି। ଏହିଭଳି ଖେଳାଳିଙ୍କୁ ବିଭିନ୍ନ ଯୋଜନାରେ ସାମିଲ୍ କରାଯାଇ ବର୍ଷକୁ ସାଢେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ଓ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ, ‘‘ସାରା ଦେଶରୁ ଖେଳାଳିମାନେ ଓଡ଼ିଶା ଆସି ଏହି ପ୍ରତିଯୋଗିତାରେ ଭାଗ ନେବା ଖୁସିର କଥା। ଆପଣମାନେ ଅନେକ ପଦକ ନେଇକି ଯିବେ, ହେଲେ ଓଡ଼ିଶାର ସ୍ମୃତି ଆପଣଙ୍କ ସହ ଚିରଦିନ ପାଇଁ ରହିବ।

ସେହିପରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ, ଆଗକୁ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ଭାରତ ପଦକ୍ଷେପ ନେବାକୁ ଯୋଜନା ରଖିଛି।

ସେହିପରି ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଯଦି ଭାରତକୁ ଆସେ ତେବେ ଓଡ଼ିଶା ଏହାର ଆୟୋଜନ ଭାର ନେଉ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କେନ୍ଦ୍ର କ୍ରୀଡ଼ା ସଚିବ ରାଧାଶ୍ୟାମ ଜୁଲାନିଆ, ୫ଟି ସଚିବ ଭି.କେ.ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲା। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଅଲିମ୍ପିଆନ୍ ଦୂତୀ ଚାନ୍ଦ ମଞ୍ଚରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଶପଥ ପାଠ କରାଇଥିଲେ। ଉପସ୍ଥିତ ଖେଳାଳି ମାନେ ଗ୍ୟାଲେରିରୁ ଛିଡ଼ା ରହି ତାଙ୍କ ସହ ଶପଥ ପାଠ କରିଥିଲେ। ସେହିପରି ଏହି ଅବସରରେ ଆୟୋଜିତ ଟର୍ଚ୍ଚ ରିଲେରେ ଓଡ଼ିଆ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ସହିତ ରିଲେରେ ସାମିଲ ହୋଇଥିଲେ ଭାରତୀୟ ତୀରନ୍ଦାଜୀ ତାରକା ମୁଷ୍କାନ କିରର, ସନ୍ତରଣକାରୀ ଏସ୍‌.ପି.ଲିକିଥ୍।

ଦୁଲୁକିଲା ଇନ୍‌ଡୋର ଷ୍ଟାଡିୟମ୍

ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ଜିଣିଥିଲା। ପାରମ୍ପରିକ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ସଂଯୋଜନାରେ ୩୯୦ ଜଣ କଳାକାରଙ୍କ ମିଳିତ ନୃତ୍ୟ ବେଶ୍ ଚମତ୍କାର ଥିଲା। ଓଡ଼ିଶାର କଳା,ସଂସ୍କୃତି ଉପରେ ପର୍ଯ୍ୟବେସିତ ଥିଲା ଏହି ନୃତ୍ୟ। କେବଳ ଓଡ଼ିଶୀ ନୁହେଁ ସମ୍ବଲପୁରୀ ନୃତ୍ୟର ଝଲକ ବି ଦେଖିବାକୁ ମିଳିଥିଲା।

ଡାଲଖାଇ ଗୀତରେ ଝୁମି ଉଠିଥିଲା ଇନ୍‌ଡୋର ଷ୍ଟାଡିୟମ। ପ୍ରାୟ ୪ହଜାର ଦର୍ଶକଙ୍କ ଉପସ୍ଥିତିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ଏହାପରେ କାର୍ଯ୍ୟକ୍ରମରେ ରୋମାଞ୍ଚ ଭରିଥିଲା ସଂଗୀତ ସଂଯୋଜକ ରାମ ସମ୍ପଥ ଓ ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ପ୍ରଦର୍ଶନ। ଖେଲୋ ଇଣ୍ଡିଆର ଥିମ୍ ସଙ୍ଗ୍ ‘ଖେଲେଙ୍ଗେ ସାନ୍ ସେ..’ ଗୀତ ପରିବେଷଣ କରି ଷ୍ଟାଡିୟମ୍‌ର ମାହୋଲକୁ ସରଗରମ କରିଥିଲେ। ସେହିପରି ସଂଗୀତ ସଂଯୋଜକ ନକାଶ ଅଜିଜ୍‌ଙ୍କ ‘ଖେଲୋ ଖେଲୋ..’ ଗୀତ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଉନ୍ମାଦନା ଭରିଥିଲା।

Comment