ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ଉତ୍ସବ ଶନିବାର କଟକ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଷ୍ଟାଡିୟମ ଭିତର ଓ ବାହାର ପରିବେଶକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ତେବେ ଆସନ୍ତାକାଲିର ମୁଖ୍ୟ ଆକର୍ଷଣ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ।

ଉଭୟ ପାରମ୍ପରିକ ଓ ଆଧୁନିକ ନୃତ୍ୟ ସାଙ୍ଗକୁ ସଂଗୀତରେ ମସଗୁଲ୍ ହେବେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ। ଚକ୍‌ ଦେ ଇଣ୍ଡିଆ, ଜୟ ହୋ..ଗୀତର ତାଳେତାଳେ ଝୁମିବ ସାରା ଷ୍ଟାଡିୟମ୍। ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତିଙ୍କ ଦଳଗତ ଓଡ଼ିଶୀ ନୃତ୍ୟ ସହିତ ଖୋର୍ଦ୍ଧାର ପାଇକ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ରଙ୍ଗବତୀ ଆଦି ପରିବେଷଣ କରାଯିବ। ଏହାଛଡ଼ା ବଲିଉଡର କଳାକାର ରହିବେ ପ୍ରମୁଖ ଆକର୍ଷଣ।

ବଲିଉଡର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଶଙ୍କର ମହାଦେବନ, ଗାୟିକା ସୋନା ମହାପାତ୍ର, କୋରିଓଗ୍ରାଫର୍ ଟରେନ୍ସ ଓ ସଲମାନ ଅଲ୍ଲୀ ଖାନ୍ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଖେଲୋ ଇଣ୍ଡିଆ ଟାଇଟଲ୍ ଟ୍ରାକ୍ ତିଆରି କରାଯାଇଛି।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ା ମନ୍ତ୍ରୀ କିରେଣ ରିଜିଜୁ ପ୍ରମୁଖ ଉପସ୍ଥିତ ରହିବେ। ଏ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଖେଲୋ ଇଣ୍ଡିଆ ପାଇଁ କଟକରେ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ସୂଚନା ରହିଛି। ଏଥିରେ ୧୩ ପ୍ଲାଟୁନ୍ ସୁରକ୍ଷା ଓ ୪ ପ୍ଲାଟୁନ୍ ଟ୍ରାଫିକ୍ ନିୟନ୍ତ୍ରଣରେ ନିୟୋଜିତ ହେବେ। କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସମେତ ୩ଜଣ ଏଡିସିପି ଦାୟିତ୍ୱରେ ରହିବେ। ଉଦଘାଟନୀ ପରଠାରୁ ୨ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୩ ପ୍ଲାଟୁନ୍ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ଶନିବାର ସନ୍ଧ୍ୟା ୬ଟାରେ ଉଦଘାଟନୀ ସମାରୋହ ଆରମ୍ଭ ହେବ। ଏନେଇ କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ୍ କ୍ରୀଷ୍ଣା ପ୍ରମୁଖ କଟକ ଆସି ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

Comment